କୋଲକାତା: ଇଡେନଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଏଥିରେ ଭାରତକୁ ପରାଜିତ କରିଛି । ମ୍ୟାଚ ପରେ ପିଚକୁ ନେଇ ବିବାଦ ସୃଷ୍ଟି ହୋଇଛି । ସିଏବି ସଭାପତି ସୌରଭ ଗାଙ୍ଗୁଲି ଏହି ବିବାଦରେ ପିଚ କ୍ୟୁରେଟରଙ୍କ ଦୋଷ ନାହିଁ ବୋଲି କହିଛନ୍ତି । ସୁଜାନ ମୂର୍ଖାଜୀଙ୍କୁ ଯେଉଁ ଭଳି ପିଚ ପ୍ରସ୍ତୁତ କରିବାକୁ କୁହାଯାଇଥିଲା ତାହା ସେ କରିଛନ୍ତି । ଟିମ ମ୍ୟାନେଜମେଂଟକୁ ତାଙ୍କ ମନ ପସନ୍ଦର ପିଚ ପ୍ରସ୍ତୁତ କରି ଦିଆଯାଇଥିଲା । ୪ ଦିନ ଧରି ପିଚରେ ପାଣି ନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।
ଭାରତ ୧୨୪ ରନର ଟାର୍ଗେଟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇ ଯାଇଥିଲା । ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେ ଯେଉଁ ଭଳି ପିଚ ମାଗିଥିଲୁ ତାହା ମିଳିଛି । ବ୍ୟାଟ୍ସମ୍ୟାନଙ୍କ ବିଫଳତା ଆମ ପରାଜୟର କାରଣ ବୋଲି ଗମ୍ଭୀର ଖୋଲାଖୋଲି ଭାବେ କହିଛନ୍ତି । ଦ୍ୱିତୀୟ ଇନିଂସରେ ଶୁଭମନ ଗିଲ ବ୍ୟାଟିଂ କରିବାକୁ ନ ଆସିବା ଏବଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟ ନ ରହିବା ପରାଜୟର କାରଣ ଭାବେ ବିବେଚନା କରାଯାଉଛି । ଟେମ୍ବା ବାଭୁମାଙ୍କ ୫୫ ରନ ଦକ୍ଷିଣ ଆଫ୍ରିକା ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି ।
Comments are closed.