Latest Odisha News

BREAKING NEWS

ଜଷ୍ଟିସ ସୂର୍ଯ୍ୟକାନ୍ତ କିଏ ? ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ

ନୂଆଦିଲ୍ଲୀ: ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର CJI ଭାବରେ କାର୍ଯ୍ୟକାଳ ୧୫ ମାସ ପାଇଁ ରହିବ। ଏହା ପୂର୍ବରୁ ସିଜେଆଇ ବିଆର ଗଭାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

CJI ଭୂଷଣ ଆର. ଗଭାଇ ସମ୍ବିଧାନର ଧାରା ୧୨୪ର ଧାରା ୨ ଅନୁଯାୟୀ ପରବର୍ତ୍ତୀ CJI ପାଇଁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ କରିଥିଲେ। ରାଷ୍ଟ୍ରପତି ନାମାଙ୍କନକୁ ଅନୁମୋଦନ କରି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଦେଶର ୫୩ତମ CJI ଭାବରେ ନିଯୁକ୍ତ କରିଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଅକ୍ଟୋବର ୩୦, ୨୦୨୫ରେ CJI ନିଯୁକ୍ତ କରାଯାଇଥିଲା ଏବଂ ସେ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।

ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଜଗଦୀପ ଧନଖଡ ପ୍ରମୁଖ ସାମିଲ ହୋଇଥିଲେ। ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଛନ୍ତି। ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି।

CJI B.R. ଗଭାଇ ୬୫ ବର୍ଷ ବୟସରେ ପହଞ୍ଚିଛନ୍ତି ଏବଂ ବର୍ତ୍ତମାନ ଅବସର ଗ୍ରହଣ କରିବେ। CJI ପଦ ଛାଡିବା ପୂର୍ବରୁ, ସେ ସର୍ବୋଚ୍ଚ ନ୍ୟାୟାଳୟର ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ପରବର୍ତ୍ତୀ CJI ଭାବରେ ନିଯୁକ୍ତ କରିବାର ପରମ୍ପରା ଜାରି ରଖିଥିଲେ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ବାଛିଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତ କିଏ ?

୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୧୯୮୪ରେ ମହର୍ଷି ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ହରିୟାଣର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍।

୨୦୦୦ ମସିହାରେ ତାଙ୍କୁ ହରିୟାଣାର ଆଡଭୋକେଟ ଜେନେରାଲ ନିଯୁକ୍ତ କରାଯାଇଥିଲା । ୨୦୦୪ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ । ୨୦୧୮ରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା । ୨୦୧୯ ମେ ୨୪ରେ ତାଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଇଥିଲା ।

ଜାତୀୟ ଗୁରୁତ୍ୱ ଏବଂ ସାମ୍ବିଧାନିକ ପ୍ରସଙ୍ଗ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସେ ରାୟ ପ୍ରଦାନ କରିଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ, ପେଗାସସ୍‌ ସ୍ପାଏଓ୍ବେୟର ଆଦି ମାମଲାର ରାୟ ପ୍ରଦାନରେ ସେ ସାମିଲ ଥିଲେ।

Comments are closed.