ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ନିଜର ପୂର୍ବ ସ୍ମୃତି ସାଉଁଟିବେ ରାଷ୍ଟ୍ରପତି। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତିଙ୍କ ବିଧାନସଭା ଭବନ ଗସ୍ତ ପୂର୍ବରୁ, ସମଗ୍ର କମ୍ପ୍ଲେକ୍ସକୁ ସଜାଇ ଦିଆଯାଇଛି। ପ୍ରକୋଷ୍ଠଗୁଡ଼ିକୁ ପୁନଃନିର୍ମାଣ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହିତ ଚାରିସ୍ତରୀୟ ସୁରକ୍ଷା କବଚ ପ୍ରସ୍ତୁତ କରାଯାଇଛି।
ଗୁରୁବାର ଦିନ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବା ପରେ ୧୧ ନମ୍ବର ରୁମକୁ ଆସି ସମୟ ବିତାଇବେ। ୨୦୦୦ରୁ ୨୦୦୪ ପରିବହନ ମନ୍ତ୍ରୀ ଥିବା ବେଳେ ଏହି ଚାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ। ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି। ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ରାଜଧାନୀ ଉତ୍ସବମୁଖର ହୋଇ ଉଠିଛି।
କୌଣସି ରାଷ୍ଟ୍ରପତି ଆମ ରାଜ୍ୟ ବିଧାନସଭାକୁ ଅଭିଭାଷଣ ଦେବା ଓଡ଼ିଶାରେ ପ୍ରଥମ। ଏହି ଭାଷଣରେ ସାଧାରଣତଃ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ କିପରି ଲୋକମାନଙ୍କ ପାଖରେ ପହଞ୍ଚିବ ସେ ନେଇ ରାଷ୍ଟ୍ରପତି ବିଧାୟକଙ୍କୁ ଅନୁପ୍ରେରିତ କରିପାରନ୍ତି। କିନ୍ତୁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଏହା ଏକ ରାଜନୀତିକ ମୁହୂର୍ତ୍ତ। ଏ ଦୃଷ୍ଟିକୋଣରୁ ଏହି ଦିନଟି କେଉଁ ଦଳ ପାଇଁ କେତେ ଲାଭଦାୟକ ହେବ, ନା କାହାକୁ କ୍ଷତି ପହଞ୍ଚାଇବ ତାହା ଆଗକୁ ଜଣାପଡିବ।
Comments are closed.