ପୁରୀ:ଜଣେ ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ନିମାପଡ଼ା ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ନିମାପଡ଼ା ଏନଏସିର ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟ।
୧୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛନ୍ତି ଭିଜିଲାନ୍ସ ।
ଏନଏସିର ଜଣେ ବ୍ୟକ୍ତି ଘର ନିର୍ମାଣ ଲାଗି ଗତ ମାର୍ଚ୍ଚ ମାସରେ ଅନୁମୋଦନ ପାଇଁ ଆବେଦନ କରିଥିଲେ। କିନ୍ତୁ ଅମିନ ବିଜୟ ତାଙ୍କ ଫାଇଲ ଉପରେ କୌଣସି କାମ ଆରମ୍ଭ କରି ନ ଥିଲେ। ଫାଇଲ ପ୍ରକ୍ରିୟାକରଣ ପାଇଁ ଗ୍ରହାଚାର୍ଯ୍ୟ ଆବେଦନକାରୀଙ୍କଠାରୁ ୩୩,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କିନ୍ତୁ, ଯେତେବେଳେ ଆବେଦନକାରୀ ୩୩,୦୦୦ ଟଙ୍କା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କଲେ, ସେ ଲାଞ୍ଚ ପରିମାଣକୁ ୩୦,୦୦୦ ଟଙ୍କାକୁ ହ୍ରାସ କଲେ । ପ୍ରଥମ ଦୁଇଟି କିସ୍ତିରେ ୧୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ।
ଆବେଦନକାରୀ ଅମିନଙ୍କ ଦ୍ୱାରା ହଇରାଣ କରାଯାଇଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ଯୋଜନା ମୁତାବକ ଶନିବାର ବିଜୟଙ୍କୁ ଧରିଛି ଭିଜିଲାନ୍ସ। ଶେଷ କିସ୍ତିରେ ୧୭ ହଜାର ଟଙ୍କା ନେବାବେଳେ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଲାଞ୍ଚ ଟଙ୍କା ଉଦ୍ଧାର ଏବଂ ଜବତ କରାଯାଇଛି ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Comments are closed.