ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୁଅ ଡକ୍ଟର ଅଭିମନ୍ୟୁ ଯାଦବ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ବିଶେଷ କଥା ହେଉଛି ମୁଖ୍ୟମନ୍ତ୍ରୀ ମୋହନଙ୍କ ସାନ ପୁଅ ଏକ ସାମୁହିକ ବିବାହ ଉତ୍ସବରେ ନିଜର ସାତଫେରା ନେଇଛନ୍ତି । ସେ ଡକ୍ଟର ଇଶିତା ପଟେଲଙ୍କ ସହିତ ଏକ ସାମୁହିକ ବିବାହ ଉତ୍ସବରେ ଅନ୍ୟ ଦମ୍ପତିଙ୍କ ସହିତ ସାତଟି ପ୍ରତିଜ୍ଞା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନଙ୍କ ପୁଅର ବିବାହ ଏପରି ସରଳତାର ସହିତ ଆୟୋଜନ ଏବେ ୟୁଜର୍ସଙ୍କ ମନକୁ ଛୁଇଁଛି । ଏକ ଗଣ ବିବାହ ସମ୍ମିଳନୀରେ ତାଙ୍କ ସାନ ପୁଅର ବିବାହ ଆୟୋଜନ କରି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମାଜକୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ଯେ ବିବାହ ସରଳତାର ସହିତ ପାଳନ କରାଯାଇପାରିବ। ଖାଲି ଯେ ପୁଳା ପୁଳା ଟଙ୍କା ଉଡେଇ, ଧୁମଧାମରେ ଉତ୍ସବ କରିବାର ମାନେ ବିବାହ ନୁହେଁ । ଯାହା ବାସ୍ତବରେ ଅନେକ ଲୋକଙ୍କୁ ପ୍ରେରଣା ଦେବ।
ତେବେ ମୁଖ୍ୟମନ୍ତ୍ରୀଙ୍କ ପୁଅର ଏହି ଶୁଭ ଦିନରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ଯୋଗଗୁରୁ ବାବା ରାମଦେବ ଏବଂ ବାଗେଶ୍ୱର ଧାମ ସରକାରଙ୍କ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବଂ ବାବା ରାମଦେବ ବର ଏବଂ କନ୍ୟାକୁ ଆଶୀର୍ବାଦ ଦେଇଥିଲେ।
ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି, “ଆମର ପଦଯାତ୍ରା ସମୟରେ ଆମେ ‘ଜାତିବାଦ ବିଦାୟ’ ନାରା ଦେଇଥିଲୁ ଏବଂ ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଆଜି ସମସ୍ତ ଜାତି ଏବଂ ଧର୍ମର ଲୋକମାନେ ଗୋଟିଏ ଛାତ ତଳେ ବିବାହ ବନ୍ଧନ କରୁଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ। ଗୋଟିଏ ପଟେ ଜଣେ ଡ୍ରାଇଭର ବିବାହ କରୁଥିବା ବେଳେ, ଅନ୍ୟପଟେ ରାଜ୍ୟକୁ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ପୁଅ ମଧ୍ୟ ବିବାହ କରୁଛନ୍ତି।”
ଯୋଗଗୁରୁ ବାବା ରାମଦେବ କହିଛନ୍ତି, “ଏହି ପ୍ରକାରର ବିବାହ ଏକ ଉଦାହରଣ ସୃଷ୍ଟି କରିବ। ମୁଁ ବିଶ୍ୱାସ କରେ ଯେ ଅନ୍ୟ ମୁଖ୍ୟମନ୍ତ୍ରୀ, ରାଜନେତା ଏବଂ ଶିଳ୍ପପତିମାନେ ଏଥିରୁ ପ୍ରେରଣା ନେବା ଉଚିତ ଏବଂ ମହଙ୍ଗା ବିବାହର ଖର୍ଚ୍ଚ ହ୍ରାସ କରିବା ଉଚିତ। ଏବେ ଆମକୁ ଡେଷ୍ଟିନେସନ୍ ବିବାହରୁ ଦିବ୍ୟ ବିବାହକୁ ଯିବାକୁ ପଡିବ।”
ତେବେ ଏହି ବିବାହ ଯେଉଁଠାରେ ଆୟୋଜିତ ହୋଇଥିଲା, ସେହି ଆଖଡ଼ା ପରିଷଦ, ପ୍ରତ୍ୟେକ ଦମ୍ପତିଙ୍କୁ ଏକ ଲକ୍ଷ ଟଙ୍କାର ଉପହାର ଘୋଷଣା କରିଛି। ପତଞ୍ଜଳି ଯୋଗପୀଠ ପକ୍ଷରୁ ବାବା ରାମଦେବ ମଧ୍ୟ ପ୍ରତ୍ୟେକ ଦମ୍ପତିଙ୍କୁ ଏକ ଲକ୍ଷ ଟଙ୍କାର ଉପହାର ଘୋଷଣା କରିଛନ୍ତି। ତେବେ ଏହି ସାମୁହିକ ବିବାହ ପ୍ରାରମ୍ଭରେ, ୨୧ ଦମ୍ପତି ଥିଲେ, ପରେ ଆଉ ଜଣେ ଯୋଗ ଦେଇଥିଲେ, ପରେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମିଶାଇ ମୋଟ ୨୨ ଜଣ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
Comments are closed.