ଭୁବନେଶ୍ୱର: ଆଗାମୀ ତିନି ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି।
ରାଜ୍ୟ ରାଜଧାନୀରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଯାହା ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଅଧିକ। ତେବେ ଡିସେମ୍ବର ୫ ସୁଦ୍ଧା ୧୩ ଡିଗ୍ରୀ ସେଲସିୟସ୍ କୁ ଖସିପାରେ। ସେହିପରି କଟକରେ ମଧ୍ୟ ଆଗାମୀ ୭ ଦିନ ମଧ୍ୟରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇପାରେ।
ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡାର ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ ହୋଇଥିଲା। କଳାହାଣ୍ଡି, କନ୍ଧମାଳ ଏବଂ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଘନ କୁହୁଡ଼ି ଏବଂ ସୋନପୁର ଏବଂ ଝାରସୁଗୁଡାରେ ମଧ୍ୟମ କୁହୁଡ଼ି ଦେଖାଯାଇଥିଲା। ଅପରପକ୍ଷରେ ଡିସେମ୍ବର ୪ ସକାଳ ପର୍ଯ୍ୟନ୍ତ କୋରାପୁଟ, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।