ଭୁବନେଶ୍ବର: ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର ।
ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି ।
ଏହି ପରିବର୍ତ୍ତନ ତୁରନ୍ତ ଲାଗୁ ହେବ ନାହିଁ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି ଏବଂ ପର୍ଯ୍ୟାୟ କ୍ରମେ ଏହି ନୂତନ ପାଠ୍ୟକ୍ରମକୁ ଲାଗୁ କରାଯିବ ।
ପୂର୍ବରୁ ଶିକ୍ଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା-୨୦୨୫’କୁ ଉନ୍ମୋଚନ କରିଥିଲେ। ଏହି ଢାଞ୍ଚା ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ବିଦ୍ୟାଳୟ ଶିକ୍ଷାକୁ ଜାତୀୟ ଲକ୍ଷ୍ୟ ସହ ସମକକ୍ଷ କରିବ।