ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ହେଉଛି ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ । ପଞ୍ଚମ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି ।
ପଞ୍ଚମ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷରୁ କମ୍ ବୟସ ବର୍ଗର ସେମି ଫାଇନାଲରେ ତେଲେଙ୍ଗାନାର ହାମସିନୀ ଚଦରମଙ୍କୁ 21-12 ଓ 21-19ପଏଣ୍ଟର ଦୁଇଟି ଗେମ୍ରେ ପରାଜିତ କରି ଫାଇନାଲରେ ପହଞ୍ଚିଛନ୍ତି। ଏହି ବୟସ ବର୍ଗର ଅନ୍ୟ ସେମିରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ ପଞ୍ଜାବର ଇନାୟତ ଗୁଲାଟିଙ୍କୁ 21-14, 21-13ର ଦୁଇଟି ଗେମ୍ରେ ହରାଇ ଫାଇନାଲରେ ତନଭି ପତ୍ରିଙ୍କୁ ଭେଟିବେ।
ସେହିପରି ୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ ସେମିରେ ମଧ୍ୟ ତନଭି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଆନ୍ଧ୍ର ପ୍ରଦେଶର ହସାନା ଶ୍ରୀ ଙ୍କୁ 21-11,21-4 ର ସିଧାସଳଖ ଦୁଇ ଗେମ୍ରେ ହରାଇ ଏହି ବର୍ଗର ଅନ୍ୟ ସେମିଫାଇନାଲ ଜିତିଥିବା ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆରଙ୍କୁ ଫାଇନାଲ ମୁକାବିଲାରେ ଭେଟିବେ।
ବାଳକ ୧୫ ବର୍ଷରୁ କମ୍ ବିଭାଗର ସେମି ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ସାଇ ତେଲେଙ୍ଗାନାର ଶ୍ରୀଚେତନ ସୌର୍ୟ ସାମଲାଙ୍କୁ 21-8, 21-13 ପଏଣ୍ଟରେ ହରାଇ ଫାଇନାଲ ପହଞ୍ଚିଛନ୍ତି। ଏହି ବିଭାଗର ଦ୍ଵିତୀୟ ସେମିରେ ଦିଲ୍ଲୀର ହର୍ଷିତ ଖତ୍ରୀ ରାଜସ୍ଥାନର ଅଂଶୁମାନ ଚୌଧୁରୀଙ୍କୁ 21-10,21-14 ପଏଣ୍ଟରେ ହରାଇ ଫାଇନାଲରେ ପହଂଚି ଯାଇଛନ୍ତି ।
୧୫ବର୍ଷ ରୁ କମ୍ ବାଳିକା ଡବଲସ ସେମିରେ ଓଡ଼ିଆ ଯୋଡି ସ୍ଵାତୀ ନାୟକ ଓ ନିମିଶା ଓଝା ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ.ଜେଙ୍କୁ 21-16,9-21,21-12 ପଏଣ୍ଟରେ ପରାସ୍ତ କରି ଫାଇନାଲ ରେ ପହଂଚିଛନ୍ତି। ଏହି ବିଭାଗର ଅନ୍ୟ ସେମିରେ ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଏବଂ ସୋୟାରା ସେଲାର ତାମିଲନାଡୁ ଯୋଡି ଭଭନ୍ଥିଗା ରାମକୁମାର ଏବଂ ୟାଲିନି ଏସ. କେ ଙ୍କୁ 21-14,21-12 ପଏଣ୍ଟରେ ହରାଇ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତି-ନିମିଶାଙ୍କ ସହ ମୁକାବିଲା କରିବେ।
୧୭ ବର୍ଷରୁ କମ୍ ବାଳକ ବିଭାଗରେ ଟପସିଡ଼ ଜଗସେର ସିଂ ଖାଙ୍ଗୁରା ଆସାମର ବର୍ଣ୍ଣିଲ ଆକାଶଙ୍କୁ 21-19,21-12 ହରାଇ ଫାଇନାଲରେ ପହଞ୍ଚିଛନ୍ତି।
ଏହି ବିଭାଗର ଅନ୍ୟ ସେମିଫାଇନାଲ ଲଢେଇ ପଞ୍ଜାବର ବିରାଜ ଶର୍ମା ଓ ମହାରାଷ୍ଟ୍ରର ଦେବ ରୂପରେଲିଆଙ୍କ ମଧ୍ୟରେ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ଲଢେଇରେ ବିରାଜ ଶର୍ମା 13-21,21-19 ଓ 21-19 ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ପଞ୍ଜାବର ଜଗସେର ସିଂଙ୍କୁ ଭେଟିବେ।
ଆସନ୍ତା ୬ ତାରିଖରେ ଏହି ଜାତୀୟ ଚମ୍ପିୟାନସିପ୍ର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି।