Latest Odisha News

BREAKING NEWS

ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ନିୟମ କୋହଳ, ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି

ଭୁବନେଶ୍ୱର: ଇଭି ଟେଣ୍ଡର ଫେଲ୍ ହେଲେ ଭଡ଼ାରେ ନେଇହେବ ପେଟ୍ରୋଲ-ଡିଜେଲ ଗାଡ଼ି । ସରକାରୀ କାମ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ଭଡ଼ାରେ ନେବା ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର। ଇଭି ଭଡ଼ା ପାଇଁ ଟେଣ୍ଡର ଡାକିବା ପରେ ଯଦି କୌଣସି ଉପଯୁକ୍ତ ବିଡ୍ ନ ମିଳେ, ତେବେ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ଭଡ଼ାରେ ନେଇହେବ । ଏ ନେଇ ଅର୍ଥ ବିଭାଗ ନିର୍ଦ୍ଦେଶ ଜାରି କରିଛି। ପୂର୍ବରୁ ଜୁନ୍ ୪ରେ ଜାରି ନିର୍ଦ୍ଦେଶ ଅନୁସାରେ, ଜୁନ୍ ୧ରୁ ସରକାରୀ କାମ ପାଇଁ ଇଭି ଭଡ଼ାରେ ନେବା ବାଧ୍ୟତାମୂଳକ ହୋଇଥିଲା। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଇନ୍ଧନ ଖର୍ଚ୍ଚ କମାଇବାକୁ ସରକାର ଏହି ନିୟମ କରିଥିଲେ। କିନ୍ତୁ ଟେଣ୍ଡରରେ ଗାଡ଼ି ଯୋଗାଇବାକୁ କେହି ଆଗେଇ ନ ଆସିବାରୁ ନିୟମରେ କୋହଳ କରାଯାଇଛି। ନୂଆ ନିୟମ ଅନୁସାରେ, ପ୍ରଥମେ ଇଭି ଭଡ଼ା ପାଇଁ ଟେଣ୍ଡର ଡାକିବାକୁ ପଡ଼ିବ। ଏଥିରେ କୌଣସି ଉପଯୁକ୍ତ ବିଡ୍ ନ ମିଳିଲେ, ଟେଣ୍ଡର ବିଫଳ ହୋଇଥିବାର ପ୍ରମାଣ ସହ ସମ୍ପୃକ୍ତ ବିଭାଗ ଜରିଆରେ ଆବେଦନ କରିବାକୁ ହେବ। ପୁରୁଣା ସରକାରୀ ଗାଡ଼ିକୁ ଅଚଳ ଘୋଷଣା କରି କିମ୍ବା ସ୍କ୍ରାପ୍ କରି ତାହା ବଦଳରେ ନୂଆ ଗାଡ଼ି ଭଡ଼ାରେ ନେବାକୁ ଚାହିଁଲେ, ସମ୍ପୃକ୍ତ ପ୍ରଶାସନିକ ବିଭାଗ ଅନୁମତି ଦେଇପାରିବ। ତେବେ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ନ କରି ନୂଆ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ଭଡ଼ାରେ ନେବାକୁ ହେଲେ ଅର୍ଥ ବିଭାଗର ଅନୁମତି ଆବଶ୍ୟକ। ନୂଆ କାର୍ଯ୍ୟାଳୟ ଖୋଲିଲେ କିମ୍ବା ନୂଆ ଅନୁମୋଦିତ ପଦବି ପାଇଁ ଗାଡ଼ି ଆବଶ୍ୟକ ହେଲେ ମଧ୍ୟ ଏହି ନିୟମ ଲାଗୁ ହେବ। ସରକାରୀ ଗାଡ଼ି ଭଡ଼ା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏଣିକି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ମାଧ୍ୟମରେ ବିଭାଗଗୁଡ଼ିକ ଗାଡ଼ି ଭଡ଼ାରେ ନେବେ ନାହିଁ। ପ୍ରତ୍ୟେକ କାର୍ଯ୍ୟାଳୟ ନିଜ ସ୍ତରରେ ଟେଣ୍ଡର ଡାକି ଗାଡ଼ି ଭଡ଼ାରେ ନେବେ। ଏଥିପାଇଁ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ନେବାକୁ ପଡ଼ିବ।

ବର୍ତ୍ତମାନ ଓରେଡା ମାଧ୍ୟମରେ ବିଭିନ୍ନ କାର୍ଯ୍ୟାଳୟରେ ଚାଲୁଥିବା ଇଭି ଗୁଡ଼ିକ ଚୁକ୍ତି ଅବଧି ଶେଷ ହେବା ପର୍ଯ୍ୟନ୍ତ ଚାଲିବ। ଚୁକ୍ତି ସରିବା ପରେ ଓରେଡା ଗାଡ଼ି ଭଡ଼ାରେ ଦେବା କାମରୁ ଓହରିଯିବ। ଅର୍ଥ ବିଭାଗର ଏହି ନୂଆ ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଲାଗୁ ହୋଇଛି।

Leave A Reply

Your email address will not be published.