Latest Odisha News

BREAKING NEWS

ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ

ନୂଆଦିଲ୍ଲୀ: ଚଳିତ ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ୱକପରେ ଭାରତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆର୍ଜେଂଟିନାକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିିଛି । ଆରମ୍ଭରୁ ଆର୍ଜେଂଟିନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା । ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଭାରତ ପଛରେ ରହିଥିଲା । ଆର୍ଜେଂଟିନା ପକ୍ଷରୁ ନିକୋଲସ ରୋଡ୍ରିଗ୍ୟୁଜ ଓ ସାଂଟିଏଗୋ ଫର୍ଣ୍ଣାଣ୍ଡିଜ ୨ଟି ଯାକ ଗୋଲ ଦେଇଥିଲେ । ପ୍ରଥମାର୍ଦ୍ଧରେ ଭାରତର ମିଡଫିଲ୍ଡରଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ତେବେ ଏହା ପରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ୪୯ତମ ମିନିଟରୁ ୫୮ତମ ମିନିଟ ମଧ୍ୟରେ ଭାରତ ୪ଟି ଗୋଲ ସ୍କୋର କରି ମ୍ୟାଚ ହାତମୁଠାକୁ ନେଇ ଆସିଥିଲ ।

ଆର୍ଜେଂଟିନା ଗୋଲ ବ୍ୟବଧାନ କମାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ହାତରେ ସମୟ ଆଉ ସୁଯୋଗ ନ ଥିଲା । ଭାରତ ପକ୍ଷରୁ ଅଙ୍କିତ(୪୯ତମ), ଶାରଦା ନନ୍ଦ ତିୱାରୀ(୫୭ତମ), ଅନମୋଲ ଏକ୍କା (୫୮ତମ)ଓ ମନମୀତ ସିଂ(୫୨ତମ) ଗୋଲ ସ୍କୋର କରିଥିଲେ । ଭାରତ ତୃତୀୟ ଓ ଆର୍ଜେଂଟିନା ଚତୁର୍ଥ ସ୍ଥାନ ହାସଲ କରିଥିଲେ । ସେହିପରି ୫ମ ଏବଂ ଷଷ୍ଠ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ନେଦରଲାଣ୍ଡକୁ ବେଲଜିୟମ ଶୁଟଆଉଟରେ ୪-୩ ଗୋଲରେ ପରାସ୍ତ କରିଥିଲା । ୭ମ ଏବଂ ୮ମ ସ୍ଥାନ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଫ୍ରାନ୍ସ ୪-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି । ଡିସେମ୍ବର ୧୦ରେ ଜର୍ମାନୀ ଓ ସ୍ପେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.