Latest Odisha News

ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଉନ୍ନତି ଲାଗି କାର୍ଯ୍ୟ କରନ୍ତୁ; ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବରିଷ୍ଠ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଆଜି ଲୋକସେବା ଭବନରେ ଉଦଘାଟନ କରିବା ଅବସରରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପରାମର୍ଶ ଦେଇଛନ୍ତି । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ପାଇଁ ଆପଣମାନେ କାମ କରନ୍ତୁ ।”

ମୁଖ୍ୟମନ୍ତ୍ରୀ ତାଙ୍କର ଉଦବୋଧନରେ କହିଥିଲେ, “ପରିବାର ଆମ ସମସ୍ତଙ୍କ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆମେ ଚାହୁଁ ଆମ ପିଲାମାନେ ଭଲ ପାଠ ପଢନ୍ତୁ । ଆମେ ଚାହୁଁ ଆମେ ଭାଇ-ଭଉଣୀମାନେ ଭଲ ଚାକିରୀ ପାଆନ୍ତୁ । ଆମେ ଚାହୁଁ ଆମର ବାପା-ମାଆ ମାନଙ୍କୁ ଭଲ ସ୍ୱାସ୍ଥ୍ୟସେବା ମିଳୁ । ମୋର ବି ଗୋଟିଏ ପରିବାର ଅଛି । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର । ସେମାନଙ୍କ ଆଶୀର୍ବାଦରେ ମୁଁ ୨୦ ବର୍ଷ ଧରି ସେବା କରି ଆସୁଛି । ମୁଁ ଚାହେଁ ସେମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ । ସେମାନେ ଭଲ ଚାକିରୀ ପାଆନ୍ତୁ ଓ ବାପା ମାଆ ମାନଙ୍କୁ ଭଲ ସ୍ୱାସ୍ଥ୍ୟସେବା ମିଳୁ ।”

ଜିଲ୍ଲାପାଳ ତଥା ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ୍‌ୁ ଶପଥପାଠ କରାଇ ନବୀନ କହିଛନ୍ତି ଯେ, “ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି ପାଇଁ ସୃଷ୍ଟି କରାଯାଇଛି । ଏହି ପୋଲିସ ଥାନା / ଡାକ୍ତରଖାନା/ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର । ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଇଛନ୍ତି” ।

ଏହି ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ ।

ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ଉତ୍ପାଦନ କମିଶନର୍ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.