ଭୁବନେଶ୍ୱର: ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) “ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା” (GRKS) ନାମରେ ପରିଚାଳିତ ଏକ ବଡ଼ ଫେକ୍ ଚାକିରି ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବିହାରର ବାସିନ୍ଦା ଗୌତମ କୁମାରଙ୍କୁ ଗିରଫ କରିଛି ଇଓଡବ୍ଲୁ।
ବିହାରର ଖଗରିଆ ଜିଲ୍ଲାର ଡୁମାରିଆ ପର୍ବତ ଗ୍ରାମର ଗୌତମ କୁମାରଙ୍କୁ ଡିସେମ୍ବର ୧୧ ତାରିଖରେ ନୂଆଦିଲ୍ଲୀର ରୋହିଣୀରୁ ଗିରଫ କରାଯାଇଥିଲା। ସେହି ଦିନ ତାଙ୍କୁ ରୋହିଣୀର ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଥିଲା। ସୋମବାର ଦିନ କଟକର OPID ଆଇନ ଅନୁଯାୟୀ ତାଙ୍କୁ ଡେଜିନେଟେଡ୍ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ଇଓଡବ୍ଲୁ ପ୍ରକାଶ କରିଛି।
ତେବେ ଏହି ମାମଲାଟି ଜାନୁଆରୀ ୨୫, ୨୦୨୩ର। ଆଇପିସିର ଧାରା ୪୨୦ (ପ୍ରତାରଣା), ୪୬୭ ( ସୁରକ୍ଷା ଜାଲିଆତି), ୪୬୮ (ପ୍ରତାରଣା ପାଇଁ ଜାଲିଆତି), ୪୭୧ (ଜାଲି ଡକ୍ୟୁମେଣ୍ଟ ବ୍ୟବହାର), ଏବଂ ୧୨୦-ବି (ଅପରାଧୀକ ଷଡ଼ଯନ୍ତ୍ର) ସହିତ ଆଇଟି ଆଇନର ଧାରା ୬୬(ସି) ଅନୁଯାୟୀ ପଞ୍ଜିକୃତ ହୋଇଥିଲା ଏହି ମାମଲା।
ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୨୮, ୨୦୨୨ରେ ଏକ ଓଡ଼ିଆ ଦୈନିକ ପତ୍ରରେ ନକଲି ଚାକିରି ବିଜ୍ଞାପନ ବାହାରିବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ନିଜକୁ GRKS ଭାବରେ ପରିଚୟ ଦେଇ ଜିଲ୍ଲା ଏବଂ ବ୍ଲକ ସଂଯୋଜକ, କମ୍ପ୍ୟୁଟର ଅପରେଟର ଏବଂ ବ୍ଲକ ସର୍ଭେୟର ଭଳି ପଦବୀ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଏବଂ ଦରମା ବିବରଣୀ ସହିତ ଆବେଦନ କରିବା ପାଇଁ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀମାନଙ୍କୁ www.grks.org ୱେବସାଇଟରେ ଯାଇ ଫି ଦେବାକୁ କୁହାଯାଇଥିଲା। ତେବେ SC/ST ପ୍ରାର୍ଥୀଙ୍କ ପାଇଁ ୧୭୦ ଟଙ୍କା ଏବଂ ଅନ୍ୟମାନଙ୍କ ପାଇଁ ୩୨୦ ଟଙ୍କା ଫି ରହିଥିଲା।