ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ଶନିବାର ଭୋର ସମୟରେ ହାତୀ ପଲଙ୍କ ସହ ରାଜଧାନୀ ଏକ୍ସପ୍ରେସ ଧକ୍କା ହେବାରୁ ୫ ବଗି ଲାଇନଚ୍ୟୁତ ହୋଇଛି। ଏଥିସହିତ ଅତି କମରେ ୮ ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାସ୍ଥଳ ଗୌହାଟିରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଅବସ୍ଥିତ ଓ ଏହି ଅଞ୍ଚଳକୁ ହାତୀ କରିଡର ଭାବରେ ଚିହ୍ନଟ କରାଯାଇନଥିବା ରେଳବାଇ ତରଫରୁ କୁହାଯାଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଲୁମଡିଂ ଡିଭିଜନ ଅନ୍ତର୍ଗତ ଜମୁନାମୁଖ-କାମ୍ପୁର ସେକ୍ସନରେ ସକାଳ ପ୍ରାୟ ୨.୧୭ ସମୟରେ ଟ୍ରେନ ନମ୍ବର ୨୦୫୦୭ ଡିଏନ ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରାକରେ ଥିବା ହାତୀମାନଙ୍କୁ ଧକ୍କା ଦେଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତେବେ ଟ୍ରାକରେ ହାତୀମାନଙ୍କୁ ଦେଖିବା ପରେ ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ କିନ୍ତୁ ଟ୍ରେନଟି ସମ୍ପୂର୍ଣ୍ଣ ଅଟକି ନ ପାରିବାରୁ ଏପରି ଦୁର୍ଘଟଣା ଘଟିଥିଲା।
ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ ଏବଂ ଲୁମଡିଙ୍ଗର ଡିଭିଜନାଲ ରେଳ ପରିଚାଳକଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପ୍ରଭାବିତ କୋଚରୁ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନର ଖାଲି କୋଚକୁ ଅସ୍ଥାୟୀ ଭାବରେ ସ୍ଥାନିତ କରାଯାଇଥିଲା। ଲାଇନଚ୍ୟୁତ କୋଚଗୁଡ଼ିକୁ ଅଲଗା କରିବା ପରେ ଟ୍ରେନଟି ସକାଳ ପ୍ରାୟ ୬.୧୧ ସମୟରେ ଗୌହାଟି ଅଭିମୁଖେ ପ୍ରସ୍ଥାନ କରିଥିଲା। ଟ୍ରେନଟି ଗୌହାଟି ପହଞ୍ଚିବା ପରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ପାଇଁ ଅତିରିକ୍ତ କୋଚ ସଂଲଗ୍ନ କରାଯାଇଥିବା ନେଇ ସୂଚନା ଦିଆଯାଇଛି।
ତେବେ ଯାତ୍ରୀ ଏବଂ ସମ୍ପର୍କୀୟମାନଙ୍କୁ ସହାୟତା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି।ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଉଛି ୦୩୬୧-୨୭୩୧୬୨୧, ୦୩୬୧-୨୭୩୧୧୬୨୨ଏବଂ ୦୩୬୧-୨୭୩୧୧୬୨୩।