ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ ଶନିବାର ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗରେ ନେଦରଲାଣ୍ଡ ଦଳ ସହ ମ୍ୟାଚ୍ ଖେଳିବ ।
ବିଶ୍ୱ ମାନ୍ୟତାରେ ନେଦରଲାଣ୍ଡ ୩ ସ୍ଥାନରେ ରହିଥିବା ବେଳେ ଘରୋଇ ଦଳ ଭାରତ ୫ମ ସ୍ଥାନରେ ରହିଛି । ଯାହାଫଳରେ ଆଜିର ମ୍ୟାଚ୍ ଦର୍ଶକଙ୍କ ପାଇଁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ଏହି ପ୍ରୋ ଲିଗ୍ ମଇଦାନରେ ନେଦରଲାଣ୍ଡ, ଆର୍ଜେଣ୍ଟିନା, ବେଲଜିୟମ୍, ଅଷ୍ଟ୍ରେଲିଆ ସମେତ ଦୁନିଆର ସମସ୍ତ ପ୍ରମୁଖ ଟିମ୍ ରହିଥିବା ବେଳେ ଚଳିତ ବର୍ଷ ଶେଷରେ ଟୋକିଓ ଅଲମ୍ପିକ ପୂର୍ବରୁ ବିଶ୍ୱ ମାନ୍ୟତାରେ ୫ମ ନମ୍ବରରେ ଥିବା ଭାରତ ଲାଗି ଏହା ଏକ ବଡ ପ୍ରସ୍ତୁତି ହେବ ।
ଭାରତର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ କହିଛନ୍ତି ଯେ “ପ୍ରୋ ଲିଗରୁ ମଜଭୁତ ତଥା ପ୍ରଭାବଶାଳୀ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକି ନା ପ୍ରଥମ ତିନୋଟି ମ୍ୟାଚରେ ଆମ ବିପକ୍ଷରେ ଦୁନିଆର ପ୍ରମୁଖ ୩ ଟିମ୍ ରହିଛନ୍ତି” ।
ଏହି ମ୍ୟାଚରେ ଭାରତୀୟ ଷ୍ଟାର୍ ଖେଳାଳି ରୁପୀନ୍ଦର ପାଲ୍ ସିଂହ ଓ ହରମନପ୍ରୀତ ସିଂହଙ୍କ ଉପରେ ନଜର । ଏହି ଦୁଇଜଣଙ୍କ ବ୍ୟତୀତ ପେନାଲ୍ଟି କର୍ଣ୍ଣର୍ ସ୍ପେଶାଲିଷ୍ଟ୍ ତଥା ଓଡ଼ିଆ ହକି ଷ୍ଟାର୍ ଅମିତ ରୋହିଦାସଙ୍କ ଉପରେ ସମ୍ପୂର୍ଣ୍ଣ ମ୍ୟାଚ ନିର୍ଭର କରୁଛି ।
ଫାଷ୍ଟପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲଳିତ୍ ଉପାଧ୍ୟାୟ, ମନଦୀପ ସିଂହ ଏବଂ ଗୁରଜୀତ ସିଂହ ତଥା ଆକାଶଦୀପ କିପରି ଏହି ମ୍ୟାଚରେ ଫରୱାର୍ଡ଼ ବିଭାଗ ସମ୍ଭାଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଆଜିକାର ଏହି ହକି ମ୍ୟାଚଟି ଷ୍ଟାର୍ ସ୍ପୋର୍ଟସ-୧ ଏଚଡ଼ି ଏବଂ ଷ୍ଟାର୍ ସ୍ପୋର୍ଟସ ୧ରେ ପ୍ରସାରିତ ହେଉଛି ।
Comments are closed.