ନୂଆଦିଲ୍ଲୀ: ଭାରତରେ ଆଜି ବି ପରିବାର ଓ ସମାଜ ଉପରେ ପାରମ୍ପରିକ ମୂଲ୍ୟବୋଧର ବହୁତ ପ୍ରଭାବ ରହିଛି। ବିବାହକୁ ପବିତ୍ର ଓ ଅନିବାର୍ଯ୍ୟ ଭାବରେ ଗଣାଯାଏ ଏବଂ ଅଧିକାଂଶ ସମୟରେ ଏହା ଦେଖାଯାଏ ଯେ ଯେଉଁମାନେ ବିବାହ ନକରି ଏକାଠି ରହୁଛନ୍ତି, ସେମାନଙ୍କୁ ସମାଜର ଦୃଷ୍ଟିରେ ଅସ୍ୱୀକାର କରାଯାଏ। ଏଭଳି ପରିସ୍ଥିତିରେ ଅନେକେ ଭାବନ୍ତି ଯେ ଲିଭ୍-ଇନ୍ ରିଲେସନସିପ୍ ଅର୍ଥାତ୍ ବିବାହ ନକରି ଏକାଠି ରହିବା ଭାରତରେ ଆଇନଗତଭାବେ ଭୁଲ୍ କିମ୍ବା ଅବୈଧ କି?
ନିକଟରେ ଇଲାହାବାଦ ହାଇକୋର୍ଟ ଏହି ପ୍ରଶ୍ନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି ଯେ ଲିଭ୍-ଇନ୍ ରିଲେସନସିପ୍ ଅବୈଧ ନୁହେଁ। କୋର୍ଟ କହିଛନ୍ତି ଯେ ଯଦି ଦୁଇଜଣ ପ୍ରାପ୍ତବୟସ୍କ ନିଜର ଇଚ୍ଛାରେ ଏକାଠି ରହିବାକୁ ଚାହୁଁଛନ୍ତି, ତେବେ କୌଣସି ବ୍ୟକ୍ତି କିମ୍ବା ପରିବାର ସେମାନଙ୍କୁ ରୋକିବାର ଅଧିକାର ନାହିଁ। ଏହି ରାୟ କେବଳ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିବା ଯୁଗଳଙ୍କ ଅଧିକାରକୁ ସୁରକ୍ଷିତ କରିନାହିଁ, ବରଂ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ସଂବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ସମସ୍ତଙ୍କର ଅଛି, ସେମାନେ ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ।
ଏହି ମାମଲାରେ ୧୨ଟି ପିଟିସନ୍ (ଯାଚିକା) ଦାଖଲ ହୋଇଥିଲା, ଯେଉଁଥିରେ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିବା ଯୁଗଳମାନେ ନିଜର ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ଜୀବନର ଦାବି କରିଥିଲେ। କୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ ଲିଭ୍-ଇନ୍ ରିଲେସନସିପ୍ ବେଆଇନ ନୁହେଁ। ଏହା ସମାଜରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେଉ କିମ୍ବା ନ ହେଉ, ଏହାକୁ ଅପରାଧ କିମ୍ବା ବେଆଇନ କୁହାଯାଇପାରିବ ନାହିଁ। ଯଦି କୌଣସି ମହିଳା ନିଜ ଇଚ୍ଛାରେ ପାର୍ଟନର ସହ ରହୁଛନ୍ତି, ତେବେ କୌଣସି ପରିବାର ସଦସ୍ୟ କିମ୍ବା ଅନ୍ୟ କେହି ତାଙ୍କୁ ଉତ୍ପୀଡ଼ନ କରିପାରିବେ ନାହିଁ। ରାଜ୍ୟର କର୍ତ୍ତବ୍ୟ ହେଉଛି ଏଭଳି ନାଗରିକମାନଙ୍କର ସୁରକ୍ଷା ନିଶ୍ଚିତ କରିବା।
ଯାଚିକାକାରୀମାନଙ୍କୁ ସମ୍ୱିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ରହିଛି। ଏହି ଅଧିକାରକୁ ବିବାହର ଉପସ୍ଥିତି କିମ୍ବା ଅନୁପସ୍ଥିତି ଦ୍ୱାରା ପ୍ରଭାବିତ କରାଯାଇପାରିବ ନାହିଁ। ଘରୋଇ ହିଂସା ନିବାରଣ ଆଇନ, ୨୦୦୫ ଅନୁଯାୟୀ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିବା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା, ଓ ଅନ୍ୟାନ୍ୟ ସୁବିଧା ମିଳିପାରେ। କୋର୍ଟ ସମସ୍ତ ଯାଚିକା ଗ୍ରହଣ କରି ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କାହାର ଜୀବନରେ ବିପଦ ଅଛି, ତେବେ ପୁଲିସ୍ ଅଧିକାରୀ ତାଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବେ।