ଭୁବନେଶ୍ବର: ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି। ବାକି ୭ ଜିଲ୍ଲାରେ ଖୁବ୍ଶୀଘ୍ର ନିଯୁକ୍ତି ସରିବ କହିଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ନେଇ ୧୨ ଜିଲ୍ଲାରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଛୁଟି ପରେ ବାକି ୧୧ ଜିଲ୍ଳାରେ ବିଜ୍ଞପ୍ତି ପ୍ରକାଶ ପାଇବ। ବୋର୍ଡ ନିଗମ ନିଯୁକ୍ତି ବି ଖୁବ୍ଶୀଘ୍ର ସରିବ କହିଲେ ମନମୋହନ।
ସେପଟେ ରାଜ୍ୟରେ ସରକାରୀ ଓକିଲ ନିଯୁକ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ କହିଛନ୍ତି, ପ୍ରାୟ ଅଧିକାଂଶ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ଶେଷ ହୋଇଛି, କିଛି ଜିଲ୍ଲାରେ ବାକି ଅଛି। ସରକାରଙ୍କ ପାଖରେ ଅପ୍ରୁଭାଲ ସରିଛି। ଖାଲି ନୋଟିଫିକେସନ ବାକି ଅଛି। କିଛି ଜିଲ୍ଲାରେ ସମସ୍ୟା ଥିଲା। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସେସବୁ ମଧ୍ୟ ଠିକ୍ ହୋଇଛି। ଖୁବ୍ଶୀଘ୍ର ବାକି ସବୁ ମଧ୍ୟ ନିଯୁକ୍ତ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଜେପି ସରକାର ଆସିବାର ୧୯ ମାସ ପରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ଦୀର୍ଘ ମାସ ଧରି ଚାଲି ରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାରେ ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ସରକାରୀ ଓକିଲ ଓ ସହକାରୀ ଓକିଲଙ୍କୁ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି । ଆଇନ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ ଗଞ୍ଜାମ, ଝାରସୁଗୁଡା, ରାୟଗଡା, କୋରାପୁଟ, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଦେବଗଡ, କେନ୍ଦ୍ରାପଡା, ସୁବର୍ଣ୍ଣପୁର ଓ ପୁରୀ ଜିଲ୍ଲାରେ ପୂର୍ବରୁ ନିଯୁକ୍ତି ପାଇଥିବା ସବୁ ସହକାରୀ ଓକିଲ ଓ ସହକାରୀ ସରକାରୀ ଓକିଲଙ୍କୁ ବଦଳାଯାଇଛି । ସେମାନଙ୍କ ସ୍ଥାନରେ ନୂଆ ଓକିଲ ନିଯୁକ୍ତି ଦିଆଯାଇଛି । ସୂଚନା ଅନୁଯାୟୀ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବାକି ରହିଥିବା ସମସ୍ତ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।