ଡେରାଡୁନ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ଆଲମୋଡା ଜିଲ୍ଲାର ସଲ୍ଟ ଭିକିଆସେନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭିକିଆସେନ-ବିନାୟକ ରାସ୍ତାରେ ଦ୍ୱାରହାଟରୁ ରାମନଗର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା।
ଆଲମୋଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ପ୍ରାୟ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସ୍ରେ ମୋଟ ୧୯ ଜଣ ଯାତ୍ରୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ସାତ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହେବାର ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ, ପ୍ରଶାସନ, ଏସଡିଆରଏଫ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଦୁର୍ଗମ ପାହାଡ଼ି କ୍ଷେତ୍ର ଯୋଗୁଁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।
ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଧାମି ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଗୁରୁତରମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ନିରନ୍ତର ନଜର ରଖାଯାଇଛି, ଏବଂ ମୁଁ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।