ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ “ବ୍ୟାଟଲ୍ ଅଫ୍ ଗାଲୱାନ୍” ଟିଜର ରିଲିଜ୍ ହେବା ପରେ ଚୀନ୍ରେ ହଇଚଇ ସୃଷ୍ଟି। ସେଠାକାର ସରକାର ଏଥିରେ କ୍ରୋଧ ପ୍ରକାଶ କରି ତଥ୍ୟକୁ ବିକୃତ ଭାବରେ ଫିଲ୍ମରେ ଦର୍ଶାଯାଇଥିବା ଦାବି କରିଛି।
ଏହି ଫିଲ୍ମଟି ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ୨୦୨୦ ମସିହାରେ ଭାରତୀୟ ଏବଂ ଚୀନ୍ର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ ହୋଇଥିବା ଜଣାପଡ଼ିଛି। ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ସିଂହ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହିତ ଜେନ୍ ଶ, ଅଙ୍କୁର ଭାଟିଆ ଏବଂ ବିପିନ୍ ଭରଦ୍ୱାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବା ନେଇ କୁହାଯାଉଛି। ଫିଲ୍ମରେ ସଲମାନ ଖାନ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ବିକ୍କୁମଲ୍ଲା ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯିଏକି ଗାଲୱାନ୍ରେ ପିଏଲଏ ସୈନିକଙ୍କ ସହିତ ଲଢ଼ି ସହିଦ ହୋଇଥିଲେ।
ତେବେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏହି ଫିଲ୍ମକୁ ନେଇ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜୁନ୍ ୨୦୨୦ ମସିହାରେ ହୋଇଥିବା ସଂଘର୍ଷ ସହିତ ଏହି ଫିଲ୍ମର ଷ୍ଟୋରି ମେଳ ଖାଉନାହିଁ ବୋଲି କୁହାଯାଇଛି। ଏହି ଫିଲ୍ମଟିକୁ ଓଭର ଦ ଟପ୍ ଭାବରେ ବର୍ଣ୍ଣନା କରାଯିବା ସହ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ବଳିଦାନକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା” ଭାବରେ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ବଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ ଭାବପ୍ରବଣ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମିତ ହୋଇଥାଏ କିନ୍ତୁ କୌଣସି ସିନେମା ଇତିହାସକୁ ପରିବର୍ତ୍ତନ କରିପାରିବ ନାହିଁ କିମ୍ବା PLA ର ସାର୍ବଭୌମତ୍ୱ ରକ୍ଷା ପାଇଁ ସଂକଳ୍ପକୁ ଦୁର୍ବଳ କରିପାରିବ ନାହିଁ ବୋଲି କୁହାଯାଇଛି।