ନୂଆଦିଲ୍ଲୀ: ନେଟଫ୍ଲିକ୍ସକୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଭାରତୀୟ ଦର୍ଶକଙ୍କ ପାଇଁ ପାକିସ୍ତାନୀ ଚଳଚ୍ଚିତ୍ର ଓ ୱେବ୍ ଧାରାବାହିକ ପ୍ରସାରଣ ନ କରିବାକୁ ମନ୍ତ୍ରଣାଳୟ ନେଟଫ୍ଲିକ୍ସକୁ କହିଛି । ପାକିସ୍ତାନରେ ନିର୍ମିତ ଏକ ନୂଆ ୱେବ୍ ଧାରାବାହିକକୁ ନେଇ ବିବାଦ ଦେଖାଦେବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପରାମର୍ଶ ଦେଇଛି ।
‘ଜୋ ବଚେ ହୈ ସଙ୍ଗ୍ ସମେଟ୍ ଲୋ’ ନାମକ ପାକିସ୍ତାନୀ ୱେବ୍ ଧାରାବାହିକର ପ୍ରଚାର ଭିଡିଓ ମଙ୍ଗଳବାର ପ୍ରକାଶ ପାଇବା ପରେ ଏହି ବିବାଦ ଆରମ୍ଭ ହୋଇଛି । ଡିସେମ୍ବର ୪ରେ ଏହାର ପ୍ରସାରଣ ଆରମ୍ଭ ହେବାକୁ ଥିବାବେଳେ ଭାରତରେ ଏହା ଦେଖିବାକୁ ମିଳିବ କି ନାହିଁ, ସେ ନେଇ ନେଟଫ୍ଲିକ୍ସ ଏଯାଏଁ ସ୍ପଷ୍ଟ କରିନାହିଁ। ଏହାକୁ ବିରୋଧ କରି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ଓ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
।
୨୦୨୫ ମେ ୮ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ପରାମର୍ଶକୁ ପାଳନ କରିବାକୁ ନେଟଫ୍ଲିକ୍ସକୁ ମନେ ପକାଇ ଦିଆଯାଇଛି। ସେହି ପରାମର୍ଶରେ ଭାରତରେ ପାକିସ୍ତାନରେ ନିର୍ମିତ କାର୍ଯ୍ୟକ୍ରମ ଓ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ କରିବାକୁ ସମସ୍ତ ଓଟିଟି ମଞ୍ଚ ଓ ଅନ୍ଲାଇନ୍ ପ୍ରସାରଣ ସେବାକୁ କୁହାଯାଇଥିଲା ।
ଗତ ଜୁନ୍ ମାସରେ ନେଟଫ୍ଲିକ୍ସ ମଧ୍ୟ ଭାରତୀୟ ଗ୍ରାହକଙ୍କ ପାଇଁ ପାକିସ୍ତାନରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ବା ଧାରାବାହିକ ଉପଲବ୍ଧ କରାଇନଥିବା କଥା କହିଥିଲା । ଏହି ନୀତି ବଜାୟ ରଖିବାକୁ ଏବେ ମନ୍ତ୍ରଣାଳୟ କହିଛି ।
