ଭୁବନେଶ୍ୱର: ୭୯ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର ମାମଲାରେ ସମ୍ବଲପୁରର ଜମନକିରା ଲାର୍ଜ-ସାଇଜ୍ ଏଗ୍ରିକଲ୍ଚରାଲ୍ ମଲ୍ଟି-ପର୍ପଜ୍ କୋଅପରେଟିଭ୍ ସୋସାଇଟି (ଲ୍ୟାମ୍ପସ) ଲିମିଟେଡ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଫଣିନ୍ଦ୍ର କୁମାର ସାହୁଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି।
୨୦୨୧-୨୨ ଆର୍ଥିକ ବର୍ଷର ଆର୍ଥିକ ହେରଫେର ମାମଲାର ତଦନ୍ତ କରି ଏହି ଗିରଫଦାରୀ ହୋଇଥିବା ନେଇ ଭିଜିଲାନ୍ସ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।ଏଥିସହିତ ସେ ମୋଟ ୭୯,୨୮,୦୦୦ ଟଙ୍କା ହେରଫେର କରିଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି।
ସେ ସ୍ଥାନୀୟ ଚାଷୀଙ୍କଠାରୁ ସିଧାସଳଖ ଋଣ ପରିଶୋଧ ରାଶି ସଂଗ୍ରହ କରିଥିଲେ ମଧ୍ୟ ଡେ ବୁକ୍ (ପ୍ରାଥମିକ ଆକାଉଣ୍ଟିଂ ରେକର୍ଡ)ରେ ଏହି ଏଣ୍ଟ୍ରିଗୁଡ଼ିକୁ ରେକର୍ଡ କରାଯାଇନଥିବା ଅଭିଯୋଗ ହୋଇଛି।
ଏଥିସହିତ ପାଣ୍ଠିକୁ ଲୁଚାଇବା ପାଇଁ ସେ SDCC ବ୍ୟାଙ୍କ (ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ), ଜମନକିରା ଶାଖାରେ ମିଥ୍ୟା ପରିଶୋଧ ଭାଉଚର ଦାଖଲ କରିଥିଲେ ଓ ଡକ୍ୟୁମେଣ୍ଟଗୁଡ଼ିକରେ ସରକାରୀ ବ୍ୟାଙ୍କର ନକଲି ସିଲ୍ ଦ୍ୱାରା ଭେରିଫାଏ କରାଯାଇଥିବା ମଧ୍ୟ କୁହାଯାଇଛି। ଏହି ସମସ୍ତ ଅଭିଯୋଗକୁ କେନ୍ଦ୍ର କରି ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି।