ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ ବର୍ଷ ଥିଲା ଯାହା ଅନେକ କିଛି ଘଟଣା ଘଟେିଦେଲା । କେତେ ଜୀବନ ଯାଇଛି କେତେ ହୃଦୟ ଭାଙ୍ଗିଛି ଆଉ ଅନେକ ଯୋଡ଼ି ମଧ୍ୟ ହୋଇଛି । ସେହିପରି ୨୦୨୫ ମନୋରଞ୍ଜନ ଜଗତ ପାଇଁ ମଧ୍ୟ ବେଶ ଦୁଃଖ ଆଣିଦେଇଥିଲା । ଏପରି କିଛି ବ୍ୟକ୍ତିଙ୍କ ମୃତ୍ୟୁ ଖବର ଆସିଥିଲା ଯାହା ସମଗ୍ର ଦେଶବାସୀଙ୍କୁ ଦୋହଲାଇ ଦେଇଥିଲା। ପସନ୍ଦ କରୁଥିବା ସେହି କଳାକାରଙ୍କୁ ହରାଇ ସମସ୍ତେ ଭାଙ୍ଗିପଡ଼ିଥିଲେ । ଦେଶର ପ୍ରତିଟି ରାଜ୍ୟରୁ ଆସିଥିଲା ଏହି ଦୁଃଖଦ ଖବର । ତେବେ ଆସନ୍ତୁ ଟିକେ ନଜର ପକାଇବା ସେହି କଳାକାରଙ୍କ ଉପରେ ଯେଉଁ ମାନେ ସତରେ ୨୦୨୫କୁ ଅଲବିଦା ଦେଇ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଓଲିଉଡ଼, ବଲିଉଡ଼, ଟଲିଉଡ଼ ସବୁ ଇଣ୍ଡଷ୍ଟ୍ରି ସେମାନଙ୍କକର ନାମିଦାମୀ କଳାକାରଙ୍କୁ ହରାଇଛି ।
– ଧର୍ମେନ୍ଦ୍ର: ସିନେମାର ଏକ ଚାଲିଚଳନ ଇତିହାସ ଥିଲେ ଧର୍ମେନ୍ଦ୍ର ।ଧର୍ମେନ୍ଦ୍ରଙ୍କର ୨୪ ନଭେମ୍ବର ୨୦୨୫ରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ତାଙ୍କ ପରଲୋକ ହିନ୍ଦୀ ସିନେମାର ଏକ ସ୍ପନ୍ଦନଶୀଳ ଅଧ୍ୟାୟର ଅନ୍ତ ଘଟାଇଥିଲା, ଯେଉଁଥିରେ ତାଙ୍କର ପ୍ରେମ, ଆକ୍ସନ୍, କମେଡି ଏବଂ ଗମ୍ଭୀର ଅଭିନୟର ଚିତ୍ରଣ ଥିଲା।
– ଉତ୍ତମ ମହାନ୍ତି: ଓଡ଼ିଶାର ପ୍ରତିଟି ବର୍ଗ ର ଲୋକଙ୍କ ହୃଦୟରେ ନିଜ ପାଇଁ ଯାଗା ତିଆରି କରିଥିଲେ ଉତ୍ତମ ମହାନ୍ତି । ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ଫେବ୍ରୁଆରି ୮, ୨୦୨୫ରେ ତାଙ୍କ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତିଓ ଆଜି ମଧ୍ୟ ତାଙ୍କୁ ଝୁରୁଛି ସାରା ଓଡ଼ିଶା ।
– ହ୍ୟୁମାନ ସାଗର: ସେହିପରି ଆଉ ଜଣେ ଓଡ଼ିଶାର ଚର୍ଚ୍ଚିତ ଚେହେରା ଥିଲେ ହ୍ୟୁମାନ ସାଗର । ଯାହାଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି । ତାଙ୍କ କଣ୍ଠରେ ଯାଦୁରେ ଭିଜୁଥିଲା ସାରା ଓଡ଼ିଶା । ହ୍ୟୁମାନଙ୍କର ଏପରି ଅଚାନକ ଚାଲିଯିବା ସମସ୍ତଙ୍କୁ ଆଘାତ ଦେଇଛି । ମାତ୍ର ୩୪ ବର୍ଷ ବୟସରେ ନଭେମ୍ବର ୧୭, ୨୦୨୫ରେ ସମସ୍ତଙ୍କୁ ଅଲବିଦା କହି ଚାଲିଗଲେ ହ୍ୟୁମାନ । ସତୀଶ ଶାହ
– ସତୀଶ ଶାହ
ବରିଷ୍ଠ ମନୋରଞ୍ଜନ ଅଭିନେତା ସତୀଶ ଶାହ ଆଉ ଆମ ମଧ୍ୟରେ ନାହାନ୍ତି। ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି କିମ୍ବଦନ୍ତୀ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ଶିଳ୍ପକୁ ଗଭୀର ଭାବରେ ମର୍ମାହତ କରିଛି। ୨୫ ଅକ୍ଟୋବରରେ କିଡନୀ ଫେଲ୍ୟୁଅର ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା ।
– ଶେଫାଲୀ ଜରିୱାଲା : ଲୋକପ୍ରିୟ ଟିଭି ଅଭିନେତ୍ରୀ ଏବଂ ଗାୟିକା ଶେଫାଲୀ ଜରିଓ୍ବାଲାଙ୍କ ଆକସ୍ମିକ ମୃତ୍ୟୁ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା । ଜ୍ଝ ଜୁନ୍ ୨୭, ୨୦୨୫ ରେ ମାତ୍ର ୫୭ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା ।
– ଅସରାନି
ଅକ୍ଟୋବର ୨୦ ତାରିଖରେ, ପ୍ରବୀଣ ଅଭିନେତା ଅସରାନି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ପୋଷ୍ଟ ସେୟାର କରିବାର କିଛି ଘଣ୍ଟା ପରେ, ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା। ଗୋବର୍ଦ୍ଧନ ଅସରାନି ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ମଧ୍ୟରେ ସେ ତାଙ୍କର ସଂକ୍ରାମକ ହାସ୍ୟରସ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ।
– ପଙ୍କଜ ଧୀର
ଧୀର “ମହାଭାରତ”ରେ କର୍ଣ୍ଣ ଭୂମିକାରେ ଅଭିନୟ କରି ପ୍ରତ୍ୟେକ ଘରେ ନିଜର ଛାପ ସୃଷ୍ଟି କରିଥିଲେ। ଅକ୍ଟୋବର ୧୫ ତାରିଖରେ, ଦୀର୍ଘ ସମୟ ଧରି କର୍କଟ ରୋଗ ସହିତ ଲଢ଼ୁଥିବା ଏହି ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ୬୮ ବର୍ଷ ବୟସରେ ସେ ଦୁନିଆ ଛାଡ଼ି ଚାଲିଯାଇଥିଲେ।
-ଜୁବୀନ୍ ଗର୍ଗ:
ଆସାମର ସ୍ୱର ଥିଲେ ଜୁବୀନ ।ଜୁବୀନ୍ ଗର୍ଗ ଆସାମର ଜଣେ ମହାନ ସାଂସ୍କୃତିକ ପ୍ରତୀକ ଥିଲେ, ସେ ଆସାମୀ ସହିତ ହିନ୍ଦୀ, ବଙ୍ଗାଳୀ ଏବଂ ଅନ୍ୟାନ୍ୟ ଭାଷାରେ ଗୀତ ଗାଇଥିଲେ। ତେବେ ସେପ୍ଟେମ୍ବର ୧୯, ୨୦୨୫ରେ ସିଙ୍ଗାପୁରରେ ତାଙ୍କ ଦେହାନ୍ତ ହୋଇଥିଲା ।
– ରାଜବୀର ଜୱାଣ୍ଡା
ପ୍ରଖ୍ୟାତ ପଞ୍ଜାବୀ ଗାୟକ ରାଜବୀର ଜୱାଣ୍ଡାଙ୍କର ଅକ୍ଟୋବର ୮ ତାରିଖରେ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଗାୟକ ଜଣକ ତାଙ୍କ ବାଇକ୍ ଯୋଗେ ହିମାଚଳ ପ୍ରଦେଶ ଯାତ୍ରା କରୁଥିଲେ, ସେତେବେଳେ ସୋଲାନ ଜିଲ୍ଲାର ବାଡ୍ଡି ନିକଟରେ ହଠାତ୍ ସେ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଲେ, ଯାହା ଫଳରେ ଏକ ସାଂଘାତିକ ଦୁର୍ଘଟଣା ଘଟିଥିଲା। ହସ୍ପିଟାଲରେ କିଛି ଦିନ ଭେଣ୍ଟିଲେଟରରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
– ରିଷଭ ଟଣ୍ଡନ:
ଲୋକପ୍ରିୟ ସଂଗୀତ ସେନସେସନ୍ ରିଷଭ ଟଣ୍ଡନଙ୍କ ମୃତ୍ୟୁ ଖବର ମଧ୍ୟ ପ୍ରକାଶ ପାଇଲା। ଗାୟକଙ୍କ ମୃତ୍ୟୁ ଅକ୍ଟୋବର ୨୨ ତାରିଖରେ ହୃଦଘାତରେ ହୋଇଥିଲା। ଏହା ପରେ, ରିଷଭ ଟଣ୍ଡନଙ୍କ ପତ୍ନୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କ ସ୍ୱାମୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ରିଷଭ ଟଣ୍ଡନ ତାଙ୍କ ପରିବାର ସହିତ ଦୀପାବଳି ପାଳନ କରିବାକୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।