ନୂଆଦିଲ୍ଲୀ: ଦେଶବ୍ୟାପୀ ଜୋମାଟୋ, ସ୍ୱିଗି, ବ୍ଲିଙ୍କିଟ୍, ଜେପ୍ଟୋ କିମ୍ବା ଆମାଜନ ଇତ୍ୟାଦି ପ୍ଲାଟଫର୍ମଗୁଡ଼ିକରେ କାମ କରୁଥିବା ଗିଗ୍ କର୍ମୀ (ଡେଲିଭରି ବୟ/ରାଇଡର୍) ମାନେ ଡିସେମ୍ବର ୩୧ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣ ନୂତନ ବର୍ଷର ପାର୍ଟି ପାଇଁ ଏହି ସବୁ ପ୍ଲାଟଫର୍ମ ରୁ ଖାଦ୍ୟ, ରାସନ୍ ସାମଗ୍ରୀ କିମ୍ବା ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି ତେବେ ଏହା ସିଧାସଳଖ ଭାବରେ ଆପଣଙ୍କ ପାର୍ଟି କିମ୍ବା ଦୈନନ୍ଦିନ ଆବଶ୍ୟକତାକୁ ପ୍ରଭାବିତ କରିପାରେ।
ଖାଦ୍ୟ, ରାସନ୍ ସାମଗ୍ରୀ କିମ୍ବା ପାର୍ସଲ ଡେଲିଭରି କରୁଥିବା କର୍ମୀ ମାନଙ୍କୁ ଗିଗ୍ କର୍ମୀ କୁହାଯାଏ। ସେମାନେ ଜୋମାଟୋ, ସ୍ୱିଗି, ଆମାଜନ ଏବଂ ବ୍ଲିଙ୍କିଟ୍ ଭଳି ଆପ୍ ମାଧ୍ୟମରେ କାମ କରିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ କମ୍ପାନୀର ସ୍ଥାୟୀ କର୍ମଚାରୀ ଭାବରେ ବିବେଚନା କରାଯାଇନଥାଏ। ପ୍ରତି ଅର୍ଡର କିମ୍ବା ପ୍ରତି କିଲୋମିଟର ପ୍ରତି ସେମାନେ ଦରମା ପାଇଥାନ୍ତି। ସେମାନଙ୍କୁ ଅତ୍ୟଧିକ କାମ କରିବାକୁ ବାଧ୍ୟ କରାଯାଉଛି କିନ୍ତୁ ପ୍ରତିବଦଳରେ ସେମାନେ ପାଉଥିବା ଆୟ ଏବଂ ସୁରକ୍ଷା ବହୁତ କମ୍ ବୋଲି ସେମାନଙ୍କ ଅଭିଯୋଗ ରହିଅଛି। ଯେପରିକି ୧୦-୧୫ମିନିଟ୍ ମଧ୍ୟରେ ଡେଲିଭରି କରିବାକୁ ଚାପ ପକାଯାଇଥାଏ ଯାହାକି ଦୁର୍ଘଟଣାର ଆଶଙ୍କାକୁ ବଢିଥାଏ।
ଏଥିସହିତ ହାଇ ପେଟ୍ରୋଲ ଦର ସତ୍ତ୍ୱେ ମଧ୍ୟ କମ୍ ଦରମା ଓ ବୀମା, ଛୁଟି କିମ୍ବା ଚାକିରି ସୁରକ୍ଷାର ଅଭାବ ଏବଂ ଆପ୍ର ସିଷ୍ଟମ୍ (ଆଲଗୋରିଦମ୍) ମନଇଚ୍ଛା ଟଙ୍କା କାଟି ନେଉଥିବା ଭଳି ଅନେକ ଅଭିଯୋଗ ହୋଇଛି। ଏହି ସମସ୍ୟାଗୁଡ଼ିକ ଯୋଗୁଁ କର୍ମଚାରୀ ମାନେ ଏହି ଦିନ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।
ନୂଆ ବର୍ଷର ପୂର୍ବ ଦିନରେ ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ ଏବଂ ରାସନ୍ ସାମଗ୍ରୀ ଅର୍ଡର କରିବାକୁ ଯୋଜନା କରିଥାନ୍ତି। ଏହିପରି ସମୟରେ ଯଦି ଡେଲିଭରି ପାର୍ଟନର କାମ କରିବା ପାଇଁ ମନା କରି ଦିଅନ୍ତି ତେବେ ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବା ସହ ଅନେକ ଅର୍ଡର ବାତିଲ ମଧ୍ୟ ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ କିଛି ଅଞ୍ଚଳରେ ଡେଲିଭରି ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ କିମ୍ବା ଆପ୍ଗୁଡ଼ିକରେ ମୂଲ୍ୟ ବୃଦ୍ଧି (ଉଚ୍ଚ ଚାର୍ଜ) ଲାଗୁ ହୋଇପାରେ ଏବଂ ପାର୍ଟି ପାଇଁ ଜିନିଷ ଯୋଗାଣ ଉପଲବ୍ଧ ନ ହୋଇପାରିବାର ମଧ୍ୟ ସମ୍ଭାବନା ରହିପାରେ।
ଏହି ଧର୍ମଘଟକୁ ରୋକିବା ପାଇଁ ଅନେକ କମ୍ପାନୀ ଡେଲିଭରି ପାର୍ଟନରମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା କେବଳ ଗୋଟିଏ ଦିନର କିମ୍ବା ପ୍ରକୃତ ସମସ୍ୟାର ସମାଧାନ ନୁହେଁ ବୋଲି କର୍ମୀମାନେ କହିଛନ୍ତି।