କୋଣାର୍କ:ଆସନ୍ତା ଜାନୁୟାରୀ ୨୪ ଓ ୨୫ ତାରିଖ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ । ପୂର୍ବ ରାତି ମାଘ ଷଷ୍ଠୀ ଶନିବାର ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଅନୁମାନ କରାଯାଉଛି। ତେବେ ପଞ୍ଜିକାନୁଯାୟୀ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରା ଓ ସ୍ନାନ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ କରାଯାଇଛି । ଜାନୁୟାରୀ ୨୪ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା୧୦ରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଇଶାଣେଶ୍ବର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ।
ତିନି ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ପ୍ରଥମେ କୋଣାର୍କ ଏନଏସି ମଣ୍ଡପ ଓ ପରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଆଇବି ପରିସରରେ ପୂଜାର୍ଚ୍ଚନା କରାଯିବ।ଏହାପରେ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଞ୍ଚିବେ ।
ଏଠାରେ ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସରିଲେ ୨୫ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ରବେଳା ୪ଟା୪୧ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନି ଠାକୁର ସ୍ନାନ କରିବେ । ରାତି ୪ଟା୪୧ରୁ ସାଧୁସନ୍ଥ ଓ ଅପେକ୍ଷା ରଥ ଶ୍ରଦ୍ଧାଳୁମାନେ ସ୍ନାନ କରିବେ ।
ସୂଚନାଥାଉକି, କୋଣାର୍କ ଏନ୍ଏସି ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତ ହୋଇଯାଇଛି ।