ନୂଆଦିଲ୍ଲୀ: ନୂଆବର୍ଷ ଉପଲକ୍ଷେ ଦେଶବ୍ୟାପୀ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳରେ ପ୍ରବଳ ଭିଡ଼ ଜମିଛି । ପହଲଗାମରେ ଗତ ଏପ୍ରିଲରେ ଆତଙ୍କବାଦୀ ଆକ୍ରମଣ ପରେ ଫିକା ପଡ଼ିଯାଇଥିବା ଚମକ ପୁଣି ଫେରିଛି । ଏଠାରେ ବହୁସଂଖ୍ୟାରେ ପର୍ଯ୍ୟଟକ ଏକାଠି ହୋଇଛନ୍ତି । ଗୁଲମର୍ଗ ଏବଂ ପହଲଗାମରେ ହୋଟେଲ ବୁକିଂ ପ୍ରାୟ ୧୦୦% ବଢ଼ିଛି । ତେବେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକୁ ଜୋରଦାର ଯାଞ୍ଚ କରାଯାଉଛି । ଶ୍ରୀନଗରର ଡାଲ ହ୍ରଦ୍ରେ ବି ଭିଡ଼ ଜମିଛି । ସେହିପରି ମନାଲି-ଅଟଳ ଟନେଲ ମାର୍ଗରେ ଟ୍ରାଫିକ୍ ଜାମ ହୋଇଛି । ହିମାଚଳ ପ୍ରଦେଶର ଲାହୋଲ ସ୍ପିତିରେ ବରଫପାତର ମଜା ନେବାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ସେଠାରେ ପହଞ୍ଚିଛନ୍ତି । ସେହିପରି ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମିଛି । ନୂଆବର୍ଷକୁ ନୂଆ ସ୍ଥାନରୁ ସ୍ୱାଗତ କରିବାକୁ ପର୍ଯ୍ୟଟକଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଛି ।
ସେହିପରି ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ ୩ ଲକ୍ଷ ଏବଂ ବୃନ୍ଦାବନରେ ୪ ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତ ଭିଡ଼ ଜମାଇଛନ୍ତି । ରାଜସ୍ଥାନର ଜୈସାଲମୈରରେ ଗତ ୧୦ ବର୍ଷରେ ସବୁଠୁ ଅଧିକ ଭିଡ଼ ଜମିଛି । ସିକରରେ ଖାଶୁଶ୍ୟାମଜୀରେ ନୂଆ ବର୍ଷ ଅବସରରେ ୭୨ ଘଣ୍ଟିଆ ଦର୍ଶନ ସୁବିଧା ଉପଲବ୍ଧ ରହିଛି । ଉଜ୍ଜୈନରେ ମହାକାଳଲୋକରେ ବର୍ଷର ଶେଷଦିନରେ ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ବି ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । କାଶୀରେ ଗଙ୍ଗା ଆରତି ଦେଖିବାକୁ ଲକ୍ଷାଧିକ ପର୍ଯ୍ୟଟକ ପହଞ୍ଚିଛନ୍ତି ।