Latest Odisha News

BREAKING NEWS

ରାଷ୍ଟ୍ରପତି ଉଦଘାଟନ କଲେ ରାଇରଙ୍ଗପୁରରେ IGNOUର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର

ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ #SkilltheNation AI ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି ଏବଂ ଓଡ଼ିଶାର ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର(IGNOU Regional Centre and Skill Centre) ଭର୍ଚୁଆଲ୍ ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପଦକ୍ଷେପଗୁଡ଼ିକ ଉନ୍ମୋଚନ କରାଯାଇଥିଲା। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (Ministry of Skill Development and Entrepreneurship)ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ରାଇରଙ୍ଗପୁରରେ ଇଗ୍ନୋର ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ । ରାଷ୍ଟ୍ରପତି ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ସମ୍ମାନର ପରିଚୟ ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଏହି କେନ୍ଦ୍ରଗୁଡ଼ିକ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶେଷ ଭାବେ ଉପକୃତ କରିବ । ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ ।

ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା ଶିକ୍ଷା, କାର୍ଯ୍ୟ, ସେବା ପ୍ରଦାନ ଏବଂ ସମସ୍ୟା ସମାଧାନକୁ ପରିବର୍ତ୍ତନ କରି ବିଶ୍ୱର ଅର୍ଥନୀତି ଏବଂ ସମାଜକୁ ପୁନଃଆକୃତି ଦେଉଛି। ସେ ଭାରତ ପାଇଁ, ବିଶେଷକରି ଦେଶର ଯୁବ ଜନସଂଖ୍ୟାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତାକୁ ଏକ ପ୍ରମୁଖ ସୁଯୋଗ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାକୁ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ଶକ୍ତି ଭାବରେ ବ୍ୟବହାର କରାଯିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଭାରତ ବର୍ତ୍ତମାନ ‘ଏଆଇ ଇମ୍ପାକ୍ଟ’ ସମ୍ମିଳନୀ କରୁଛି । ଯେଉଁ ସମୟରେ ବିଶ୍ୱ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୁ ନେଇ ଆଶଙ୍କା କରୁଛି, ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍ । ନୂଆପିଢ଼ିକୁ ଏଆଇ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । ‘ଏଆଇ ଫର୍ ଅଲ୍’ ଆଗାମୀ ଦିନରେ ଏକ ‘ଗେମ୍ ଚେଞ୍ଜର’ ସାବ୍ୟସ୍ତ ହେବ ।

Leave A Reply

Your email address will not be published.