ଭୁବନେଶ୍ୱର: ୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି।
ତେବେ ୨୦୨୪ ମସିହାରେ ମୋଟ ୩୭,୯୯,୬୩୨ ପର୍ଯ୍ୟଟକ ନନ୍ଦନକାନନ ଭ୍ରମଣ କରିବାକୁ ଆସିଥିବା ବେଳେ ୨୦୨୫ ମସିହା ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ଲୋକ ଆସିଥିବା ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗୁରୁବାର ଦିନ କହିଛନ୍ତି।ଏଥିସହିତ ଏହି ସମସ୍ତ ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ୨୩.୨୩ କୋଟି ଟଙ୍କାରୁ ଅଧିକ ଥିଲା। ଯାହା ୨୦୨୪ ତୁଳନାରେ ପ୍ରାୟ ୧.୦୬ କୋଟି ଟଙ୍କା ଅଧିକ ଥିବା ନେଇ ମଧ୍ୟ କୁହାଯାଇଛି।
ତେବେ ମୋଟ ପର୍ଯ୍ୟଟକ ମାନଙ୍କ ମଧ୍ୟରୁ, ୩୮,୪୩,୦୨୮ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିଦର୍ଶନ କରିଥିବା ବେଳେ ୧,୭୭,୫୧୧ ଜଣ ବୋଟାନିକଲ୍ ଗାର୍ଡେନ ପରିଦର୍ଶନ କରିଥିବା ନେଇ ସୂଚନା ମିଳିଛି। ପର୍ଯ୍ୟଟକ ଏବଂ ରୋଜଗାର ଉଭୟ ବୃଦ୍ଧି ପାଇଁ ଉନ୍ନତ ସୁବିଧା, ପ୍ରଭାବଶାଳୀ ପରିଚାଳନା ଏବଂ NZP ର ସଂରକ୍ଷଣ, ଶିକ୍ଷା ଏବଂ ପରିବେଶ ପର୍ଯ୍ୟଟନ ପଦକ୍ଷେପ ପାଇଁ ଦୃଢ଼ ଜନସମର୍ଥନକୁ ଅଧିକାରୀମାନେ ଦାୟୀ କରିଛନ୍ତି।
ବର୍ତ୍ତମାନ ନନ୍ଦନକାନନ ୧୬୦ ପ୍ରଜାତିର ପ୍ରାୟ ୪,୦୦୦ ପ୍ରାଣୀ ଏବଂ ପକ୍ଷୀ ରହୁଛନ୍ତି। ଯେଉଁଥିରେ ୪୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ପକ୍ଷୀ, ୩୦ ପ୍ରଜାତିର ସରୀସୃପ ଏବଂ ୬ ପ୍ରଜାତିର ଉଭୟଚର ପ୍ରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି। ତେବେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି ଚିଡ଼ିଆଖାନା ଡିସେମ୍ବର ୨୯ ତାରିଖରେ ଏହାର ୬୬ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା।