ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ବେଆଇନ ପଥର ବିସ୍ଫୋରଣ । ଏହି ପଥର ବିସ୍ଫୋରଣରେ ଏକ ଗର୍ଭବତୀ ମାଈ କଲରାପତରିଆ ଏବଂ ତା’ର ଗର୍ଭସ୍ଥ ଛୁଆ ସମେତ ୪ଟି କଲରାପତରିଆ ବାଘର ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । କର୍ଣ୍ଣାଟକର କଗଲିପୁରା ନିକଟସ୍ଥ ବସବନତାରା ଜଙ୍ଗଲରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନାଥାଉକି, ଏହି ଘଟଣା ପରେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଶୱନ୍ତପୁରର ବିଜେପି ବିଧାୟକ ଏସ.ଟି. ସୋମଶେଖର ବନ ବିଭାଗ ଉପରେ ଗୁରୁତର ଅବହେଳାର ଅଭିଯୋଗ ଆଣି ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।ସୋମଶେଖର ଅଭିଯୋଗ କରିଛନ୍ତି ଯେ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ବ୍ଲାଷ୍ଟିଂ ଚାଲିଛି ଏବଂ ସମ୍ପୃକ୍ତ ମନ୍ତ୍ରୀ ଏବଂ ଅଧିକାରୀମାନେ ଗମ୍ଭୀର ଉଦାସୀନତା ପ୍ରଦର୍ଶନ କରୁଛନ୍ତି।
ବିଧାୟକ ସୋମଶେଖର ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଏହି ବିଷୟରେ ଜଙ୍ଗଲ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଫୋନ୍ ଉତ୍ତର ପାଇ ନଥିଲା।
ଏହି ଘଟଣା ଡିସେମ୍ବର ୨୭ ତାରିଖରେ ଘଟିଥିଲା। ଗର୍ଭବତୀ କଲରାପତରିଆବାଘର ମୃତ୍ୟୁର କାରଣ ନିର୍ଣ୍ଣୟ କରିବା ପାଇଁ ବନ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଘଟଣା ପରେ, କର୍ଣ୍ଣାଟକ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ପରିବେଶ ମନ୍ତ୍ରୀ (Environment Minister Eshwar Khandre )ଈଶ୍ୱର ଖଣ୍ଡ୍ରେ ଏକ ବ୍ୟାପକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡ୍ରେ ସ୍ୱୀକାର କରିଛନ୍ତି ଯେ, ପ୍ରାଥମିକ ତଦନ୍ତ ଅନୁସାରେ, ବେଆଇନ ଖଣି ଖନନ ଯୋଗୁଁ ହୋଇଥିବା ବିସ୍ଫୋରଣ ଯୋଗୁଁ କଲରାପତରିଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇପାରେ ।