ଭୁବନେଶ୍ବର: ରଜରେ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ । ମକର ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ପଦ୍ମଜା ହୋଟେଲରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର । ‘ଫିଲ୍ମର ଟିଜର ରିଲିଜ କରି ଫିଲ୍ମ ଘୋଷଣା କରାଯାଇଛି । ଏହା ସହ ଫିଲ୍ମର ଷ୍ଟାରକାଷ୍ଟ ଓ ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି । ଏହି ଫିଲ୍ମରେ ବହୁ ସଂଖ୍ୟକ ତାରକାଙ୍କୁ ଦେଖିବାକୁ ମିଳିବ ।
‘ଦ ମିଲେଟ୍ ଡାଏରୀ’ରେ ମାଣ୍ଡିଆର ଉପକାରିତା ଓ ଐତିହାସିକ ପୃଷ୍ଠଭୂମି ଦେଖିବାକୁ ମିଳିବ । ବିଶେଷକରି କଳିଙ୍ଗ ବା ଓଡ଼ିଶାର କବିରାଜି, ମାଣ୍ଡିଆର ଇତିହାସ ଓ ଏକ ଅନନ୍ୟ ପ୍ରେମର ଆଧାରକୁ ନେଇ ଏକ ନିଆରା କାହାଣୀ ଦେଖିବେ ଦର୍ଶକ । ୟୁଟ୍ୟୁବରେ ସେୟାର ହୋଇଥିବା ୧ ମିନିଟ ୫୫ ସେକେଣ୍ଡର ଟିଜରକୁ ଲୋକେ ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି । ଆନୁଷ୍ଠାନିକ ମୁକ୍ତି ତାରିଖ ଘୋଷଣା କରାଯାଇଛି ୧୨ ଜୁନ୍ ୨୦୨୬ ।
ଇନଫାଇସନ ଏଣ୍ଟରଟେନମେଣ୍ଟ ପ୍ରେଜଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ । ଏହି ଫିଲ୍ମରେ କାହଣୀ ଏବଂ ପ୍ରଯୋଜନା କରୁଛନ୍ତି JRM ଓ ସହ ପ୍ରଯୋଜକ ରହିଛନ୍ତି ରୋଜାଲିନ୍ ମହାନ୍ତି । ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର । ସମ୍ପାଦନା ଦାୟିତ୍ୱରେ ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ କରିଛନ୍ତି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ ।
ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶୀତମ ଦାସ, ଶିବାନୀ ସଂଗୀତା, କୁନା ତ୍ରିପାଠୀ, ରାଜ୍ ରାଜେଶ, ଶ୍ରଦ୍ଧା ଦାସ, ସୁଜନ୍ତ ଦାଶମହାପାତ୍ର, ଶକ୍ତି ବରାଲ, ସାନ୍ତୁ ନିଜେ, ରେଭାନ୍ସ ମହାନ୍ତି, ଶ୍ରେୟା ସତ୍ୟପାଠୀ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଭଳି ତାରକା ଅଭିନୟ କରିଛନ୍ତି । ଅଭିଷେକ ଏଥିରେ ବିଏମ୍ସି ଡ୍ରାଇଭର ଚରିତ୍ରରେ ନଜର ଆସିବା ସହ ଗାଉଁଲି ଝିଅର ଚରିତ୍ରରେ ନଜର ଆସିବେ ଶିବାନୀ । ତେବେ ମାଣ୍ଡିଆର ଔଷଧୀୟ ଗୁଣ ଓ ବିଶ୍ୱ ଦରବାରରେ ଏହାର ପରିଚୟକୁ ନେଇ ଫିଲ୍ମ ଟି ଗତିଶୀଳ ହେଉଥିବା ବେଳେ ଗୁରୁତ୍ୱପୂର୍ଣ ଭୂମିକା ଅର୍ଥାତ ବୈଦ ଚରିତ୍ରରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ।
ଟିଜରର ଆରମ୍ଭରେ ଏକ ଯୁଦ୍ଧ ଭୂମି ଦେଖିବାକୁ ମିଳିଛି । ଯେଉଁଥିରେ ଅନେକ ସେନା ଜୀବନ ହାରିଥିବା ଦେଖିବାକୁ ମିଳିଛି । ତାପରେ ଏକ ରାଜନହର ଦେଖିବାକୁ ମିଳିଛି, ଯେଉଁଥିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଜଣେ କଏଦୀ ଭାବରେ ଏଣ୍ଟ୍ରି କରୁଛନ୍ତି । ଏହା ପରେ କୁନା ତ୍ରିପାଠୀ, ରାଜେଶଙ୍କ ଝଲକ ଦେଖିବାକୁ ମିଳେ । ଜଣେ ଲୋକ ନିଆଁରେ ଜଳୁଥିବା ବେଳେ ଗାଁ ଦାଣ୍ଡର ଲୋକଙ୍କ ଭିଡ଼ ଜମେ । ଭିଡିଓର ଶେଷରେ ସିଦ୍ଧାନ୍ତଙ୍କୁ କେହି ପଚାରନ୍ତି ସେ ସୂତ୍ର କେଉଁଠି ଅଛି, ସେ କୁହନ୍ତି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାହା ଏବେ ସୁରକ୍ଷିତ ଏବଂ ଉଚିତ ସ୍ଥାନରେ ପହଞ୍ଚିସାରିଛି ।