Latest Odisha News

BREAKING NEWS

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ନୀତିନ ନବୀନ

ନୂଆଦିଲ୍ଲୀ: ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି।

ଏହି ପଦ ପାଇଁ ତାଙ୍କ ସପକ୍ଷରେ ୩୭ ସେଟ୍ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ଓ ତାଙ୍କ ପ୍ରାର୍ଥୀତ୍ୱର ପ୍ରସ୍ତାବକମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ଥିବା ନେଇ ଜଣାପଡ଼ିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ସେ ଦାୟିତ୍ବ ଗ୍ରହଣ କରିବେ।

ନୀତିନ ନବୀନ ପାଞ୍ଚ ଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ବାଙ୍କିପୁରରୁ ବିଧାୟକ, ୨୦୦୬ ମସିହାରେ ପ୍ରଥମ ଥର ପାଇଁ ପାଟନା ପଶ୍ଚିମ ବିଧାନସଭା ଆସନରୁ ଉପନିର୍ବାଚନ ଜିତିଥିଲେ। ସେ ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି ଏବଂ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ ମସିହାରେ ବିଧାନସଭା ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି।

୨୦୨୫ ମସିହାରେ ନୀତିନ ନବୀନ ୯୮,୨୯୯ ଭୋଟ ପାଇଥିଲେ ଓ ଆରଜେଡିର ରେଖା କୁମାରୀଙ୍କୁ ୫୧,୦୦୦ ଭୋଟରେ ପରାସ୍ତ କରିଥିଲେ। ସେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସାଧାରଣ ସମ୍ପାଦକ ଏବଂ ବିହାର ଯୁବ ମୋର୍ଚ୍ଚାର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ, ନୀତିନ ନବୀନ ସିକିମ ପାଇଁ ବିଜେପିର ପ୍ରଭାରୀ ଏବଂ ଛତିଶଗଡ଼ ପାଇଁ ସହ-ପ୍ରଭାରୀ ଭାବରେ କାର୍ଯ୍ୟ କରିଛନ୍ତି ଓ ସେହି ରାଜ୍ୟଗୁଡ଼ିକରେ ନିର୍ବାଚନ ପରିଚାଳନା ତଦାରଖ କରିଛନ୍ତି। ଗତ ଡିସେମ୍ବର ୨୦୨୫ରେ ବିଜେପି ସଂସଦୀୟ ବୋର୍ଡ ଦ୍ୱାରା ତାଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି କରାଯାଇଥିଲା।

ତେବେ ନୀତିନ ନବୀନଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ଜଣେ ପ୍ରମୁଖ ବିଜେପି ନେତା ଥିଲେ। ସେ ପାଟନା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରି ଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୩ ମେ ୧୯୮୦ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିବା ନୀତିନ ନବୀନ ୧୯୯୬ରେ ପାଟନାର ଏକ CBSE ସ୍କୁଲରୁ ଦଶମ ଶ୍ରେଣୀ ସମାପ୍ତ କରି ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ୧୯୯୮ରେ ଦିଲ୍ଲୀର ଏକ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଥିଲେ। ତେବେ ନୀତିନ ନବୀନଙ୍କ ସ୍ତ୍ରୀଙ୍କ ନାମ ଦୀପମାଳା ଶ୍ରୀବାସ୍ତବ ଅଟେ ଓ ସେମାନଙ୍କର ଦୁଇଟି ସନ୍ତାନ।

 

Leave A Reply

Your email address will not be published.