Latest Odisha News

BREAKING NEWS

ଜାନୁଆରୀ ୨୧ରୁ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆରମ୍ଭ…

ଭୁବନେଶ୍ଵର: ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬”କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଭେଟେରିନାରୀ କଲେଜ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି  ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ।

ଚଳିତ ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଏହି ସମାବେଶ ଆୟୋଜିତ ହେବ। ୨୧ ଜାନୁଆରୀ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାବେଶର ଉଦଘାଟନ କରିବେ। ସେହିପରି ଉଦଯାପନୀ ସମାରୋହରେ ରାଜ୍ୟପାଳ ହରି ବାବୁ କମ୍ଭମପାଟି ସାମିଲ ହେବେ। ୨୦୨୬ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା; ବିକଶିତ ହେବ ଆମ ଓଡ଼ିଶା।” ଏହି ସମାବେଶରେ ପ୍ରତି ବ୍ଲକରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେବେ। ତା ସହ ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୦ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଚଳିତ ଥର ମୋଟ ୧୨ଟି ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜନ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଚାଷୀଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

୩ଟି ହ୍ୟାଙ୍ଗର୍ ରେ ପ୍ରାୟ ୨୦୮ଟି ଷ୍ଟଲ୍‌ ରେ ମତ୍ସ୍ୟ, ପ୍ରାଣିପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହେବ। ସେହିପରି ୨ଟି ଖୋଲା ହ୍ୟାଙ୍ଗରରେ ମତ୍ସ୍ୟ ଓ ପ୍ରାଣୀ ଲାଇଭ୍ ଡେମନଷ୍ଟ୍ରେସନ୍ କରାଯିବ। ପ୍ରତି ସନ୍ଧ୍ୟାରେ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହରିୟାଣାର ଦୁଇଟି ମଇଁଷି ଷଣ୍ଢ (ସୁରବୀର ଏବଂ ଇନ୍ଦର), ଆନ୍ଧ୍ରପ୍ରଦେଶର ଛୋଟ ପ୍ରଜାତିର ପୁଙ୍ଗାନୁର ଗାଈ ଏବଂ ଗୁଜୁରାଟରୁ କାଙ୍କରେଜ୍ ଷଣ୍ଢ ଆସୁଛି। ଜାନୁଆରୀ ୨୩ ତାରିଖ ସକାଳ ୮.୩୦ ମିନିଟ୍ ରେ “ଡଗ୍ ସୋ” ହେବାକୁ ଥିବା ବେଳେ ସଂଧ୍ୟା ୬.୩୦ ରେ “ପେଟ୍ ଫ୍ୟାଶନ ସୋ” ଆୟୋଜନ ହେବ। ଲାଇଭ୍ ସି ଫୁଡ୍ କିଚେନ୍, ଭର୍ଚୁଆଲ୍ ରିଅଲିଟି ଫାର୍ମ ଟୁର୍, ଡ୍ରୋନ୍ ସୋ, ଲେଜର୍ ସୋ, ଚିତ୍ରକଳା ପ୍ରଦର୍ଶନୀ, ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣଙ୍କ ସହ ସେଲଫି ଜୋନ୍ ଆଦି ଆକର୍ଷଣର କେନ୍ଦ୍ର ସାଜିବ।

ଜାନୁଆରୀ ୨୧ ତାରିଖ ସକାଳ ୬ଟାରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜିତ ହେବ। ଏହି ୱାକାଥନରେ ଯୋଗ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତା ସହ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ବୁଲିବାକୁ ଆସି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ନିବେଦନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣିପାଳନ ଓ ପ୍ରାଣି ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲମ୍, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.