ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସମ୍ଭାବ୍ୟ ମେଣ୍ଟ ଏବଂ ସମୀକରଣକୁ ନେଇ ମତ ଦେବା ଆରମ୍ଭ କରିସାରିଲେଣି।
ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣା ବିଷୟରେ ଆଲୋଚନା ଚାଲିଥିବା ବେଳେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନେ ନିର୍ବାଚନ ପାଇଁ ବଡ଼ ରାଜନୈତିକ ଗେମ୍ ନେଇ ସୂଚନା ଦେଇଛନ୍ତି। ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଚିଠି ଲେଖିଛନ୍ତି। ତେବେ ଓଡ଼ିଶାରୁ ଚାରି ଜଣ ରାଜ୍ୟସଭା ସଦସ୍ୟ- ଯଥା ବିଜେଡିରୁ ନିରଞ୍ଜନ ବିସି ଏବଂ ମୁନ୍ନା ଖାନ, ଏବଂ ବିଜେପିରୁ ସୁଜିତ କୁମାର ଏବଂ ମମତା ମହାନ୍ତ ଏପ୍ରିଲ ୨ରେ ଅବସର ନେବାକୁ ଯାଉଛନ୍ତି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଫେବୃଆରୀ ପ୍ରଥମ ସପ୍ତାହରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ଭେଟିବା ନେଇ ବୁଧବାର ସୂଚନା ଦେଇଛନ୍ତି। ଏହି ବୈଠକରେ ଦୁଇ ଦଳ ମଧ୍ୟରେ ରାଜନୈତିକ ସମ୍ପର୍କକୁ ନେଇ ଆଲୋଚନା କରାଯିବ ବୋଲି ମଧ୍ୟ ଆଶା କରାଯାଉଛି। ଶାସକ ବିଜେପି ବିରୁଦ୍ଧରେ ଲଢ଼ିବା ପାଇଁ ବିରୋଧୀ ଦଳ ମଧ୍ୟରେ ଏକତା ଗଠନ ପାଇଁ ପ୍ରୟାସ କରାଯାଇପାରେ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ନବୀନ ଏ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି ଓ ବିଜେଡି ଏହି ପ୍ରସ୍ତାବକୁ ସମର୍ଥନ କରିବ କି ନାହିଁ ତାହା ମଧ୍ୟ ଅନିଶ୍ଚିତ ହୋଇରହିଛି।
କଂଗ୍ରେସ ଏବଂ ବିଜେଡି ଉଭୟ ବିରୋଧୀ ଦଳ, ଯଦି ଉଭୟଙ୍କ ମଧ୍ୟରେ ମେଣ୍ଟ ହୁଏ ତେବେ ଜଣେ ପ୍ରାର୍ଥୀ ଜିତିପାରିବେ। ବିଜେଡି ଆମ ସହିତ ହାତ ମିଳାଇବ କି ନାହିଁ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ ଓ ମୁଁ ନବୀନ ପଟ୍ଟନାୟକଙ୍କ ସହ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିବା ପାଇଁ ସମୟ ମାଗିଛି ବୋଲି” ଭକ୍ତ କହିଛନ୍ତି।
ତେବେ ବିଜେଡି ଏବଂ କଂଗ୍ରେସ ଉଭୟଙ୍କ ରାଜନୈତିକ ପଦକ୍ଷେପ ଉପରେ କଡ଼ା ନଜର ରଖାଯାଇଥିବା ନେଇ ବରିଷ୍ଠ ବିଜେପି ନେତା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ ସୂଚନା ଦେଇଛନ୍ତି। ରାଜନୀତିରେ କିଛି ଅସମ୍ଭବ ନୁହେଁ ଓ ଆମକୁ ଅପେକ୍ଷା କରିବାକୁ ହେବ। ଆଗକୁ ବହୁତ୍ କିଛି ବଡ଼ ହୋଇପାରେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।