Latest Odisha News

BREAKING NEWS

ଦିଲ୍ଲୀ ରାଜପଥରେ ଗଡିବ ରୁକୁଣା ରଥ…

ନୂଆଦିଲ୍ଳୀ:ଦିଲ୍ଲୀରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣିବ ପ୍ରଜ୍ଞାପନ ମେଢ଼ । ରାଜଧାନୀ ରାଜପଥରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ । ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରର ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶିତ କରାଯିବ । ଏନେଇ ଆଜି ଫାଇନାଲ ରହର୍ସାଲ ହୋଇଛି । ମିଡିଆଙ୍କ ପାଇଁ ଦିଲ୍ଲୀ କ୍ୟାଂଟରେ ଅଭ୍ୟାସମୂଳକ ଭାବେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶିତ କରାଯାଇଛି ।

୨ ବର୍ଷ ପରେ ଦିଲ୍ଲୀ ପରେଡରେ ସ୍ଥାନ ପାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ସବୁ ରାଜ୍ୟର ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇଛି । ଏହି ପ୍ରଜ୍ଞାପନ ମେଢ଼କୁ ଡିଜାଇନ କରିଛନ୍ତି ଓଡ଼ିଶା ଲଳିତ କଳା ଏକାଡେମିର ସଂପାଦକ ଗଜେନ୍ଦ୍ର ପ୍ରସାଦ ସାହୁ । ରାଜଧାନୀ ରାଜପଥରେ ରୁକୁଣା ରଥ ସହ ଲିଙ୍ଗରାଜ ମନ୍ଦିର ମଧ୍ୟ ପ୍ରଦର୍ଶିତ ହେବ ।

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା ରଥ ରହିଥିବା ବେଳେ ଏଥିରେ ଘଂଟଘଂଟା, ମାର୍ଦ୍ଦଳ ସହ ଶ୍ଲୋକ ପରିବେଷଣ କରାଯିବ । ମଧ୍ୟଭାଗରେ ଶିବଙ୍କ ବାହାନ ନନ୍ଦିକୁ ସ୍ଥାନ ଦିଆଯାଇଛି । ଶେଷ ଭାଗରେ ଲିଙ୍ଗରାଜ ମନ୍ଦିର, ଯଜ୍ଞଶାଳା, ନାଟ ମଣ୍ଡପ, ଭୋଗ ମଣ୍ଡପ ଏବଂ ଗର୍ଭଗୃହକୁ ପ୍ରଦର୍ଶିତ କରାଯାଇଛି । ଏହି ପ୍ରଜ୍ଞାପନ ମେଢ଼ର ଦୁଇ ପାଶ୍ୱର୍ରେ ୨୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । ସମ୍ବଲପୁରୀ, ଡାଲଖାଇ, ସଙ୍ଗୀତର ତାଳରେ ନୃତ୍ୟ କରିବେ ସମସ୍ତ କଳାକାର ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ । ପୂର୍ବରୁ ୨୦୦୯ରେ ଓଡ଼ିଶାର ଖଣ୍ଡଗିରି ଉଦୟଗିରି ଗୁମ୍ଫା, ୨୦୧୬ ବୋଇତ ବନ୍ଦାଣ ଓ ୨୦୧୭ରେ ଦୋଳ ମେଳଣ ପର୍ବ ପ୍ରଜ୍ଞାପନ ମେଢ଼ରେ ସାମିଲ ହୋଇଥିଲା ।

Comments are closed.