ଜାମସେଦପୁର: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଝାରଖଣ୍ଡ ବିପକ୍ଷରେ ଓଡିଶା ୩୮ ରନରେ ଆଗୁଆ ରହିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୮୨ ରନ ଜବାବରେ ଝାରଖଣ୍ଡ ୬ ୱିକେଟ ହରାଇ ୨୪୪ ରନ ସଂଗ୍ରହ କରିଛି । ରବିନ ମିଞ୍ଜ ୩୭ ଓ ଆଦିତ୍ୟ ସିଂ ୬ ରନ କରି ଅପରାଜିତ ଅଛନ୍ତି । ଶିଖର ମୋହନ ୮୦ ଓ କୁମାର କୁଶାଗ୍ର ୪୭ ରନ କରିଥିଲେ । ଓଡିଶା ପକ୍ଷରୁ ପଦାର୍ପଣ ମ୍ୟରଚରେ ସୟେଦ ଟଫେଲ ଅହମ୍ମଦ ୩ଟି ଏବଂ ରାଜେଶ ମହାନ୍ତି ୨ଟି ୱିକେଟ ଅକ୍ତିଆର କରିଥିଲେ ।
ପୂର୍ବରୁ ଓଡିଶା ୬ ୱିକେଟ ବିନିମୟରେ ୨୪୨ ରନରୁ ଇନିଂସ ଆରମ୍ଭ କରିଥିଲା । ଆଉ ୪୦ ରନରେ ବାକି ୪ଟି ୱିକେଟ ହରାଇଥିଲା । ଗୋବିନ୍ଦ ପୋଦ୍ଦାର ୬୪, ସ୍ୱସ୍ତିକ ସାମଲ ୭୯ରନର ଇନିଂସ ଖେଳିଥିଲେ । ଆଦିତ୍ୟ ସିଂ ଓ ସୌରଭ ଶେଖର ଝାରଖଣ୍ଡ ପକ୍ଷରୁ ସର୍ବାଧିକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ତୃତୀୟ ଦିବସ ଆରମ୍ଭରୁ ଓଡିଶା ବିପକ୍ଷ ଦଳର ୪ଟି ୱିକେଟ ଶୀଘ୍ର ଅକ୍ତିଆର କରି ଫାଇଦାରେ ରହିବାକୁ ଚାହିଁବ ।