ବ୍ରହ୍ମପୁର: ବ୍ରହ୍ମପୁରରେ Enjoy Ride ବ୍ରାଣ୍ଡ ନାମରେ ଏକ ହେଲିକପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ଯାହାଦ୍ଵାରା ଦକ୍ଷିଣ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ଆନନ୍ଦ ଉଠାଇ ପାରିବେ। ଏହି ପଦକ୍ଷେପ ଦ୍ଵାରା ପର୍ଯ୍ୟଟକମାନେ ସହର ଏବଂ ଏହାର ସୁନ୍ଦର ପରିବେଶକୁ ଉପରୁ ଥାଇ ଦେଖିପାରିବେ।
ଏହି ସେବା ରଙ୍ଗେଇଲୁଣ୍ଡା ବିମାନବନ୍ଦରରୁ ପରିଚାଳିତ ହୋଇ ଧବଳେଶ୍ୱର ଏବଂ ତାରାତାରିଣୀ ଭଳି ଲୋକପ୍ରିୟ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକ ସହ ସଂଯୋଗ କରୁଥିବା ନେଇ ଜଣାପଡ଼ିଛି। ତେବେ ଏହାର ଭଡା ମାତ୍ର ୨୫୦୦ଟଙ୍କାରୁ ଆରମ୍ଭ ହେବ। ଯେଉଁଥିରେ ଯାତ୍ରୀ ମାନଙ୍କୁ ଆରାମଦାୟକ ଯାତ୍ରା ସହ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ଏହି ଚପର ସେବା ପ୍ରକଳ୍ପ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ଭାରତର ଅଗ୍ରଣୀ ହେଲିକପ୍ଟର ସେବା ପ୍ରଦାନକାରୀ ପବନ ହଂସ ମଧ୍ୟରେ ମିଳିତ ଭାବରେ କରାଯାଇଥିବା ଏକ ପ୍ରୟାସ ବୋଲି ଜଣାପଡିଛି।
ତେବେ ଏହି ସେବା ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ତୀର୍ଥଯାତ୍ରୀ ଏବଂ ଆଡ଼ଭେଞ୍ଚର ଖୋଜୁଥିବା ଲୋକଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହୋଇପାରିବ ବୋଲି ଅଧିକାରୀ ମାନେ କହିଛନ୍ତି।