ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ଏହା କୁହାଯାଇଛି ।
ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, UGC କିମ୍ବା AICTE ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସାର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ।
ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍( ଓକେସିଏଲ) ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (ଓଏସ୍ସିଆଇଟି)କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି ।