ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଗୋ ଅନେକ ଉଡ଼ାଣ ବାତିଲ କରିଛି। ତେବେ ଇଣ୍ଡିଗୋ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛି।
ଯେଉଁଥିରେ ତ୍ବିଲିସି, ଆଲମାଟି, ବାକୁ ଏବଂ ତାସକେଣ୍ଟକୁ ଉଡ଼ାଣ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଏ ସବୁ ମଧ୍ୟରେ ଇଣ୍ଡିଗୋ ଆଜି ପାଇଁ ଏକ ଟ୍ରାଭେଲ ଆଡଭାଇଜାରି ଜାରି କରିଛି। ଇରାନ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ନିରାପଦ ଏବଂ ସୁଗମ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଏହାର ଉଡ଼ାଣ ସୂଚୀରେ ପରିବର୍ତ୍ତନ କରିଥିବା ରିପୋର୍ଟ ରୁ ଜଣାପଡିଛି।
ତେବେ ଗ୍ରାହକମାନେ ବିକଳ୍ପ ଯାତ୍ରା ଅନୁସନ୍ଧାନ କରିବାକୁ କିମ୍ବା ପୂର୍ଣ୍ଣ ଫେରସ୍ତ ପାଇବା ପାଇଁ ତାଙ୍କ ୱେବ୍ ସାଇଟ ପରିଦର୍ଶନ କରିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଗକୁ ଯେକୌଣସି ଅପଡେଟ୍ କିମ୍ବା ପରିବର୍ତ୍ତନ ଗୁଡ଼ିକ ଆମର ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ସେୟାର କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହିତ ଗ୍ରାହକ ମାନଙ୍କର ଧୈର୍ଯ୍ୟ, ବୁଝାମଣା ଏବଂ ନିରନ୍ତର ବିଶ୍ୱାସକୁ ପ୍ରଶଂସା କରୁଥିବା ନେଇ ଏୟାରଲାଇନ ତରଫରୁ କୁହାଯାଇଛି।