Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ସମୟରେ ଲୋକସଭାରେ ନିରନ୍ତର ହଟ୍ଟଗୋଳ ଚାଲିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବିରୋଧୀଙ୍କ ବିରୋଧ ଏବଂ ସ୍ଲୋଗାନ ଯୋଗୁଁ ଏଥିରେ ବାଧା ଉପୁଜିଥିଲା। ପରିସ୍ଥିତି ବିଗିଡ଼ିବା ପରେ ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସମଗ୍ର ଘଟଣା ସମ୍ପର୍କରେ ଗୃହରେ ଏକ ଗମ୍ଭୀର ଏବଂ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।

ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ସେହି ଦିନ ଲୋକସଭାରେ କୌଣସି ଅପ୍ରୀତିକର କିମ୍ବା ଅପ୍ରତ୍ୟାଶିତ ଘଟଣା ଘଟିବାର ଆଶଙ୍କା ଥିଲା। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏପରି ଆଚରଣ ସଂସଦର ମର୍ଯ୍ୟାଦା ଏବଂ ଗଣତାନ୍ତ୍ରିକ ମାନଦଣ୍ଡର ସମ୍ପୂର୍ଣ୍ଣ ବିପରୀତ।

ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହ ଭିତରକୁ ପ୍ରବେଶ ନକରିବାକୁ ସେ ନିଜେ ଅନୁରୋଧ କରିଥିଲେ। ବାଚସ୍ପତି ଆଜି ଲୋକସଭା କାର୍ଯ୍ୟକାଳ ମଧ୍ୟରେ ଏଭଳି ଖୁଲାସା କରିଛନ୍ତି। ଗତକାଲି ଗୃହରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥାନ୍ତା। ଗୃହରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ସହ ଯଦି କିଛି ହୋଇଥାନ୍ତା ତାହା ସଂସଦର ମର୍ଯ୍ୟାଦାକୁ ବିପଦରେ ପକାଇଥାନ୍ତା। ଆଶ୍ଚର୍ଯ୍ୟର କଥା ଏହା ହୁଏତ ସଂସଦୀୟ ଇତିହାସରେ ପ୍ରଥମ ଥର ଯେ ଲୋକସଭା ବାଚସ୍ପତି ଗୃହ ଭିତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ବିପଦକୁ ସ୍ୱୀକାର କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ଗୃହ ଭିତରୁ ଗୁପ୍ତ ସୂଚନା ମିଳିଥିଲା। ଉକ୍ତ ସୂଚନା ଅନୁଯାୟୀ, କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଚୌକି ନିକଟକୁ ଯାଇ ହଙ୍ଗାମା କରିବା ଏବଂ କିଛି ଅପ୍ରୀତିକର କାର୍ଯ୍ୟ କରିବାକୁ ଯୋଜନା କରୁଥିଲେ। ଯଦି ଏପରି କୌଣସି ଘଟଣା ଘଟିଥାନ୍ତା ତେବେ ଏହା ଗଣତନ୍ତ୍ର ପାଇଁ ଏକ କଳା ଦିନ ହୋଇଥାନ୍ତା।

 

Leave A Reply

Your email address will not be published.