ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ କେରଳର ପଲକ୍କଡରେ ଏକ ପିକଅପ୍ ଭ୍ୟାନରୁ ବିସ୍ଫୋରକ ଭର୍ତ୍ତି ୧୦୦ ରୁ ଅଧିକ ବାକ୍ସ ଜବତ କରାଯାଇଛି ।ପଲକ୍କଡ ଟାଉନ ସାଉଥ୍ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଗାଡିରେ ଶହେ ରୁ ଅଧିକ ଜିଲାଟିନ୍ ଷ୍ଟିକ୍ ଏବଂ କୋଡିଏରୁ ଅଧିକ ଡିଟୋନେଟର ବାକ୍ସ ପାଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ବାକ୍ସଗୁଡ଼ିକ ତରଭୁଜର ଗଦା ତଳେ ଲୁଚାଯାଇଥିଲା।
ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ପ୍ରାରମ୍ଭିକ ପଚରାଉଚରା ସମୟରେ, ଡ୍ରାଇଭର ପ୍ରକାଶ କରିଥିଲେ ଯେ ସେ କୋଏମ୍ବାଟୁରରୁ ବାକ୍ସଗୁଡ଼ିକୁ ଲୋଡ୍ କରିଥିଲେ ଏବଂ ସେଗୁଡ଼ିକୁ ତ୍ରିସୁରର ଏକ ପଥର ଖଣିକୁ ନେଇକି ଯାଉଥିଲେ ।
#WATCH | Palakkad, Kerala: A large cache of explosives hidden in a watermelon truck was seized by the Palakkad police. pic.twitter.com/jPmfpEDm9o
— ANI (@ANI) February 5, 2026
ତଥାପି, ଏହା ପଛରେ ଏକ ବଡ଼ ଚୋରା ଚାଲାଣ ନେଟୱାର୍କ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ବିସ୍ଫୋରକ କାହାକୁ ଏବଂ କେଉଁ ଉଦ୍ଦେଶ୍ୟରେ ପଠାଯାଉଥିଲା ତାହାର ସୂଚନା ପାଇଁ ଡ୍ରାଇଭରଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଉଛି।
ଅଧିକାରୀ ଜଣକ କହିଛନ୍ତି ଯେ ରାଜ୍ୟକୁ ବେଆଇନ ଭାବରେ ବିପୁଳ ପରିମାଣର ବିସ୍ଫୋରକ ଅଣାଯାଉଥିବା ସୂଚନା ପାଇବା ପରେ ପୋଲିସ ଯାନବାହାନ ଯାଞ୍ଚ ସମୟରେ ପିକଅପ୍ ଭ୍ୟାନ୍କୁ ଅଟକାଇଥିଲା।
ସେ କହିଛନ୍ତି, “ଯେତେବେଳେ ପୋଲିସ ଡ୍ରାଇଭରଙ୍କୁ ଅଟକାଇବାକୁ କହିଲା, ସେ ଗାଡ଼ି ଅଟକାଇ ନଥିଲେ। ତା’ପରେ ଗାଡ଼ିଟିକୁ ପିଛା କରାଯାଇଥିଲା।” ଶେଷରେ ସର୍ଭିସ ରୋଡରେ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା।
ବାକ୍ସରେ ପ୍ରାୟ ୧୮ ହଜାର ଜେଲେଟିନ୍ ଷ୍ଟିକ୍ ଏବଂ ୪ହଜାର ୮ଶହ ଡେଟୋନେଟର ରଖାଯାଇଥିଲା। ପୁଲିସର କହିବା ଅନୁସାରେ, ଏଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଓ ମହଙ୍ଗା ବିସ୍ଫୋରକ। ଏଗୁଡ଼ିକ ସାଧାରଣତଃ ଖଣି ଓ ପଥର ଭାଙ୍ଗିବା କାମରେ ବ୍ୟବହୃତ ହୁଏ। ସୁରକ୍ଷାକୁ ଧ୍ୟାନରେ ରଖି, ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ବମ୍ ସ୍କ୍ୱାଡ୍ କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା।