ଇବ ଥର୍ମାଲ: ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ତେଲେନପାଲି ସରପଞ୍ଚ ଆକାଶ ସାହୁ ସ୍ୱାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ।

ଏହି ଶିବିରରେ ଇବ ଥର୍ମାଲ ଚିକିତ୍ସାଳୟର ଚିକିତ୍ସାଧିକାରୀ ଡାକ୍ତର ମାନସ ପାଣିଗ୍ରାହୀ, ଡାକ୍ତର ଅଙ୍କିତ କୁମାର ଆଚାର୍ଯ୍ୟ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ କଶ୍ୟପଙ୍କ ସମେତ ସମ୍ବଲପୁରରୁ ଆମନ୍ତ୍ରିତ ଭେଷଜ ବିଶେଷଜ୍ଞ ଡାକ୍ତର ବଳରାମ ଖମାରି ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିର ସକାଳ ୧୦. ୩୦ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ତେଲେନପାଲି, ଛଡାରମା, ବନହରପାଲି, ଧୋବାଡେ଼ରା, ପମ୍ପ ହାଉସପଡା, ବିନିକା, ସାପାଲି ଏବଂ ଫଲସାମୁଣ୍ଡା ଆଦି ଗ୍ରାମର ୧୨୧ ରୋଗୀଙ୍କୁ ରକ୍ତହୀନତା, ଶାରୀରିକ ଦୁର୍ବଳତା, ମଧୁମେୟ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ରକ୍ତଚାପ, ଗ୍ୟାସ୍ଟ୍ରିକ, ପେଟବ୍ୟଥା ଭଳି ରୋଗର ପରୀକ୍ଷା କରାଯାଇ ଔଷଧ ଓ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।

ଓପିଜିସିର ସିଏସଆର ବିଭାଗ ଏବଂ ଇବ ଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ଇବ ଥର୍ମାଲ ଚିକିତ୍ସାଳୟର ସୁଜାତା ନାୟକ, ସଂଯୁକ୍ତା ମହାନନ୍ଦ, ସନ୍ଧ୍ୟାରାଣୀ କିସାନ, ପ୍ରଭାତ ବାରିକ, ପ୍ରଭାତ ବିଶ୍ୱାଳ, ଅଭିମନ୍ୟୁ ଭୋଇ, ଦୁବରାଜ କିସାନ, ପ୍ରଫୁଲ୍ଲ ପ୍ରଧାନ ଏବଂ କର୍ଣ ବାଗ ପ୍ରମୁଖ ସ୍ଵାସ୍ଥ୍ୟ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।