ମୟୂରଭଞ୍ଜ: ବନ୍ଧୁକ ଦେଖାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଧନାପନା ଗ୍ରାମରେ ।ଖୁଣ୍ଟା ଥାନା ଅଧୀନ ଧନାପନା ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ କମଲ ଲୋଚନ ରଣାଙ୍କ ଠାରୁ ରୁପା ଅଳଙ୍କାର ଲୁଟ ହୋଇଛି
ସ୍ଥାନୀୟ କହ୍ନେଇବନ୍ଧ ହାଟରେ ଥିବା ନିଜ ଅଳଙ୍କାର ଦୋକାନରୁ ଫେରିବା ସମୟରେ ଅଚାନକ ଦୁଇ ବାଇକରେ ଚାରି ଜଣ ମୁଖା ପିନ୍ଧା ଲୁଟେରା ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲେ । କମଳ ଲୋଚନଙ୍କ ବେକରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିସହ ପ୍ରାୟ ୫୦୦ ଗ୍ରାମ ଓଜନର ରୂପା ଅଳଙ୍କାର ଲୁଟିନେଇଥିଲେ । ଏହାପରେ ଲୁଟେରାମାନେ ଆଖି ପିଛୁଳାକେ ଖସି ଯାଇଥିଲେ ।
ସୂଚନାମୁତାବକ, ସଂପୃକ୍ତ ବ୍ୟବସାୟୀ ଉକ୍ତ ସାପ୍ତାହିକ ହାଟରେ ନିୟମିତ ବ୍ୟବସାୟ କରି ଆସୁଛନ୍ତି । ଆଜି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଏପରି ଘଟଣା ଘଟିଥିଲା । ବ୍ୟବସାୟୀ କମଳ ଲୋଚନ ଏ ନେଇ ପୋଲିସକୁ ଜଣାଇବା ପରେ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ ।