କଟକ: ଭିଜିଲାନ୍ସ ମାମଲା ଶେଷ ନହେବା ଯାଏ ନିଲମ୍ବନ ଅବଧି ନିୟମିତ ହେବନି। କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଯଦି ଭିଜିଲାନ୍ସ ମାମଲା ଅଦାଲତରେ ଚାଲୁଥାଏ, ତେବେ ସେହି କର୍ମଚାରୀଙ୍କ ନିଲମ୍ବନ ଅବଧିକୁ ନିୟମିତ କରି ସମ୍ପୂର୍ଣ୍ଣ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି।
ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପଦ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଦାଖଲ ହୋଇଥିବା ରିଟ ଅପିଲକୁ ସ୍ବୀକାର କରି ଜଣିକିଆ ବିଚାରପତିଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ କର୍ମଚାରୀ ଏକ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିଲେ। ୨୦୧୧ ଜୁଲାଇ ୧ରୁ ୨୦୧୨ ଜୁନ୍ ୨୪ ପର୍ଯ୍ୟନ୍ତ ସେ ଜେଲରେ ଥିଲେ। ଏହି ସମୟରେ ନିୟମାନୁସାରେ ତାଙ୍କୁ ନିଲମ୍ବନ କରାଯାଇଥିଲା ଓ କେବଳ ସବସିଷ୍ଟାନ୍ସ ଆଲାୱାନ୍ସ ଦିଆଯାଇଥିଲା। ଜେଲରୁ ମୁକୁଳିବା ପରେ ସେ ପୁନଃ କାର୍ଯ୍ୟରେ ଯୋଗ ଦେଇଥିଲେ। ପରେ ସେବାରୁ ଅବସର ଗ୍ରହଣ କରିଥିଲେ।
ତେବେ ନିଲମ୍ବନ ଅବଧିକୁ ନିୟମିତ କରିବା ସହ ଅନ୍ୟାନ୍ୟ ସୁବିଧା ଦାବି କରି କର୍ମଚାରୀ ଜଣକ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ। ଜଣିକିଆ ବିଚାରପତି କର୍ମଚାରୀଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ। ସେ କହିଥିଲେ ଯେ କର୍ମଚାରୀ ଜଣକ ଜେଲରୁ ମୁକୁଳିବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିବାରୁ ରେଗୁଲେସନ-୨୧ ଅନୁଯାୟୀ ତାଙ୍କର ନିଲମ୍ବନ ଅବଧିକୁ ନିୟମିତ କରିବା ପାଇଁ କୌଣସି ବାଧା ନାହିଁ। ଏହି ଆଦେଶକୁ ଚାଲେଞ୍ଜ କରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ହାଇକୋର୍ଟରେ ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।
ବୋର୍ଡ ଯୁକ୍ତି ରଖିଥିଲା ଯେ ଯେହେତୁ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ଅଛି, ସେତେବେଳ ପର୍ଯ୍ୟନ୍ତ କର୍ମଚାରୀଙ୍କ ନିଲମ୍ବନ ଅବଧିକୁ ନିୟମିତ କରାଯାଇପାରିବ ନାହିଁ। ଅଦାଲତ ମାମଲାର ବିଚାର କରି ପୂର୍ବରୁ ଜଣିକିଆ ବିଚାରପତି ଦେଇଥିବା ଆଦେଶକୁ ରଦ୍ଦ କରିବା ସହ କର୍ମଚାରୀଙ୍କ ବିରୋଧରେ ଅପରାଧିକ ବା ଭିଜିଲାନ୍ସ ମାମଲା ଚାଲିଥିବାରୁ ସେ ନିଜର ନିଲମ୍ବନ ସମୟର ପୂରା ଦରମା ବା ଅନ୍ୟାନ୍ୟ ସୁବିଧା ଦାବି କରିପାରିବେ ନାହିଁ ବୋଲି କହିଛନ୍ତି।