- ରାହୁଲଙ୍କ ହାତରେ ଜେନେରାଲ ନରୱଣେଙ୍କ ଅପ୍ରକାଶିତ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’।
- ପ୍ରକାଶକ କହୁଛନ୍ତି ‘ବହି ଛପା ହୋଇନି’
- ଯଦି ବହି ଛପା ହୋଇନି, ରାହୁଲଙ୍କ ପାଖକୁ ଆସିଲା କେଉଁଠୁ ?
- ଘଟଣାର ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍
ନୂଆଦିଲ୍ଲୀ: ଘଟଣାଟି ହେଉଛି ୨୦୨୬ ମସିହାର । ଦେଶର ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱଣେଙ୍କ ଆତ୍ମଜୀବନୀ ‘Four Stars of Destiny’। ଯେଉଁ ବହିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କ୍ଲିୟରାନ୍ସ ମିଳିନାହିଁ, ସେହି ବହିର ଏକ ହାର୍ଡକପି ହଠାତ୍ ସଂସଦରେ ରାହୁଲ ଗାନ୍ଧୀଙ୍କ ହାତରେ ଦେଖିବାକୁ ମିଳିଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି ଯେ, ଏହି ବହିଟି ଏପର୍ଯ୍ୟନ୍ତ ପ୍ରକାଶିତ ହେବା ପାଇଁ ଅନୁମତି ପାଇନାହିଁ। ଏପରିକି ବହିର ପ୍ରକାଶକ ‘ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ’ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ— “ଆମେ ଏହି ବହିର ଏକମାତ୍ର ପ୍ରକାଶକ, କିନ୍ତୁ ଏପର୍ଯ୍ୟନ୍ତ କୌଣସି କପି ଛପା ହୋଇନି କିମ୍ବା ବଜାରକୁ ଛଡ଼ାଯାଇନାହିଁ।”
ବଡ଼ ପ୍ରଶ୍ନ ହେଉଛି, ଯଦି ବହି ପ୍ରକାଶିତ ହୋଇନାହିଁ, ତେବେ ରାହୁଲ ଗାନ୍ଧୀଙ୍କ ପାଖରେ ଏହାର ହାର୍ଡକପି କିପରି ପହଞ୍ଚିଲା ? କ’ଣ ଜେନେରାଲ ନରୱଣେଙ୍କ ପାଣ୍ଡୁଲିପି ବିନା ଅନୁମତିରେ ବହି ଆକାରରେ ଛପାଯାଇଛି ?
ରିପୋର୍ଟ ଅନୁସାରେ, ପୂର୍ବରୁ PTI ଏବଂ ‘ଦି କାରାଭାନ’ ଏହି ପୁସ୍ତକର କିଛି ଅଂଶ ପ୍ରକାଶ କରିଥିଲେ। ରିପୋର୍ଟ କରିଥିବା ସାମ୍ବାଦିକ ସୁଶାନ୍ତ ସିଂହ କହିଛନ୍ତି ଯେ, ସେ କେବଳ ପାଣ୍ଡୁଲିପି ଦେଖିଥିଲେ, କୌଣସି ବନ୍ଧା ହୋଇଥିବା ବହି ନୁହେଁ । କିନ୍ତୁ ସଂସଦରେ ଦେଖାଯାଇଥିବା ବହି ଏକ ସମ୍ପୂର୍ଣ୍ଣ ପ୍ରିଣ୍ଟେଡ୍ ବହି ଭଳି ଜଣାପଡ଼ୁଥିଲା।
ସେପଟେ ଏହି ମାମଲାକୁ ଗୁରୁତର ଭାବେ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତଦନ୍ତ ଆରମ୍ଭ କରିଛି। ଜାତୀୟ ସୁରକ୍ଷା ସହ ଜଡ଼ିତ ତଥ୍ୟ ଲିକ୍ ହେବା ଆଶଙ୍କାରେ ଏହି ତଦନ୍ତ କରାଯାଉଛି।
କ’ଣ ଏହା ଏକ ‘ସିକ୍ରେଟ୍ ଲିକ୍’ କିମ୍ବା କେହି ଜାଣିଶୁଣି ଏହି କପିକୁ ବିରୋଧୀ ଦଳ ପାଖରେ ପହଞ୍ଚାଇଛି ? ସତ୍ୟାସତ୍ୟ କ’ଣ, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।