ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଅଧୋଗତି ଘଟୁଛି ବୋଲି ଅଭିଯୋଗ କରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜୁ ଜନତା ଦଳର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟପାଳ ଡ଼ ହରିବାବୁ ଖମ୍ଭମପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣକାଳୀନ କୁଳପତି ନିଯୁକ୍ତିରେ ଅହେତୁକ ବିଳମ୍ୱ ଯୋଗୁ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ଏକ ପ୍ରକାର କୋମାରେ ରହିଛି ବୋଲି ଦଳ ତରଫରୁ ଅଭିଯୋଗ କରାଯାଇଛି ।
ଦୀର୍ଘ ସମୟ ଧରି କୁଳପତି ନରହିବା କାରଣରୁ, ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରଶାସନିକ ସ୍ଥାଣୁତା, ଦାୟିତ୍ୱହୀନତା ଶିକ୍ଷାନୁଶାସନ, ଗବେଷଣା କାର୍ଯ୍ୟରେ ବାଧା, ପରୀକ୍ଷା ପରିଚାଳନାରେ ବିଭ୍ରାଟ ଓ ନିଯୁକ୍ତିରେ ବିଳମ୍ୱ ସହ ଛାତ୍ରଛାତ୍ରୀ ଓ ଶିକ୍ଷକ-କର୍ମଚାରୀମାନେ ଗଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ମାରକପତ୍ରରେ କୁହାଯାଇଛି ।
ଯୁବ ଓ ଛାତ୍ର ନେତାମାନେ ଉଲ୍ଲେଖ କରିଥିଲେ ଯେ ନବୀନ ସରକାରଙ୍କ ସମୟରେ, ୨୦୨୦ ମସିହାର ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଅଣାଯାଇଥିଲା, ଯାହା ମାଧ୍ୟମରେ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା, ମେରିଟ୍ ଆଧାରିତ ଚୟନ ଓ ସଂସ୍ଥାଗତ ଦାୟିତ୍ୱବୋଧକୁ ସୁନିଶ୍ଚିତ କରିଥିଲା । କିନ୍ତୁ ୨୦୨୪ ଓ ୨୦୨୫ରେ ହୋଇଥିବା ପରବର୍ତ୍ତୀ ସଂଶୋଧନଗୁଡ଼ିକ ଏହି ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ସହିତ ସର୍ଚ୍ଚ କମିଟି ଗଠନରେ ସ୍ଵଚ୍ଛତା ଓ ନ୍ୟାୟସଙ୍ଗତତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଜଳାଞ୍ଜଳି ଦେଇ ଶିକ୍ଷାନୁଷ୍ଠାନ ଗୁଡିକରେ ଗୌରୀକକରଣ କରିବା ପାଇଁ ରାଜ୍ୟ ବିଜେପି ସରକାର ଉଦ୍ୟମ କରୁଛନ୍ତି ବୋଲି ଯୁବ ଛାତ୍ର ନେତାମାନେ ଅଭିଯୋଗ କରିଥିଲେ । ସେମାନେ ଦୃଢ଼ ଭାବେ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜନୈତିକ ହସ୍ତକ୍ଷେପ, ଧାର୍ମିକ-ବିଚାରଧାରାମୂଳକ ପ୍ରଭାବ ଓ ଇଚ୍ଛାମୁତାବକ ନିଷ୍ପତ୍ତିରୁ ମୁକ୍ତ ରହିବା ସହିତ, ଶିକ୍ଷାଗତ ଉକ୍ରୃଷ୍ଟତାର କେନ୍ଦ୍ର ହେବା ଆବଶ୍ୟକ ।
ସ୍ମାରକପତ୍ରରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଭୟଙ୍କର ଅଭାବ ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ଉପଲବ୍ଧ ତଥ୍ୟ ଅନୁଯାୟୀ, ୧୭ଟି ବିଶ୍ୱବିଦ୍ୟାଳୟରେ ୭୦୬ଟି ସହାୟକ ପ୍ରଫେସର, ୪୫୮ଟି ସହଯୋଗୀ ପ୍ରଫେସର, ୨୬୧ଟି ପ୍ରଫେସର ଓ ୨,୩୨୫ଟି କର୍ମଚାରୀ ପଦବୀ ଖାଲି ପଡ଼ିଛି । ଏହା ଶିକ୍ଷାର ଗୁଣବତ୍ତା, ଛାତ୍ର ମେଣ୍ଟରିଂ, ଗବେଷଣା ଉତ୍ପାଦନ ଓ ପ୍ରଶାସନିକ କାର୍ଯ୍ୟକ୍ଷମତାକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ବିଡମ୍ବନାର ବିଷୟ ଯେ, ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟି ଦୀର୍ଘ ୧୪ ମାସ ହେଲା ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି କରିପାରିଲା ନାହିଁ । ଏହା ସହିତ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ, ରାଜ୍ୟ ସରକାରଙ୍କ ୨୦୨୪ ନିର୍ବାଚନୀ ପ୍ରତିଶ୍ରୁତି, ଓଡ଼ିଶା ଆଦିବାସୀ ସ୍ୱାଭିମାନ ବିଶ୍ୱବିଦ୍ୟାଳୟ ସ୍ଥାପନ ପୂରଣ କରିବାରେ ବିଫଳତାକୁ ନେଇ କଠୋର ସମାଲୋଚନା କରାଯାଇଛି । ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଭାଷାର ସଂରକ୍ଷଣ, ପ୍ରଚାର ଓ ଗବେଷଣା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଏକ ପ୍ରମୁଖ ସଂସ୍ଥା ଭାବେ କଳ୍ପନା କରାଯାଇଥିଲା । କିନ୍ତୁ ବାରମ୍ୱାର ଆଶ୍ୱସନା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଆଦିବାସୀ ସମୁଦାୟ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରତିନିଧି ଦଳ ଉଲ୍ଲେଖ କରିଥିଲେ ଯେ ଉକ୍ରଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମେତ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ନିୟମିତ କୁଳପତି ବିହୀନ ଅବସ୍ଥାରେ ରହିଛି, ଯାହା ସଂସ୍ଥାଗତ ପରିଚାଳନା ଓ ଦୀର୍ଘମିଆଦୀ ଶିକ୍ଷାଗତ ପରିକଳ୍ପନାକୁ ଗୁରୁତର ଭାବେ ପ୍ରଭାବିତ କରୁଛି ।
ପ୍ରତିନିଧି ଦଳ ଉଠାଇଥିବା ଚିନ୍ତାଗୁଡ଼ିକୁ ଧୈର୍ଯ୍ୟ ସହ ଶୁଣି ରାଜ୍ୟପାଳ ସେମାନଙ୍କୁ ଆଶ୍ୱାସନ ଦେଇଥିଲେ ଯେ ଏହି ବିଷୟଗୁଡ଼ିକ ସକ୍ରିୟ ଭାବେ ବିଚାରାଧୀନ ଅଛି । ରାଜ୍ୟପାଳ ଜଣାଇଥିଲେ ଯେ ୧୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଚାଲିଛି ଏବଂ ଶୀଘ୍ର ଏହା ସମ୍ପନ୍ନ ହେବ । ସେ ଏହା ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ଛାତ୍ରଛାତ୍ରୀଙ୍କ ହିତ ଓ ଶିକ୍ଷାଗତ ଉନ୍ନତି ପାଇଁ ଦୀର୍ଘଦିନ ଧରି ଖାଲିଥିବା ଶିକ୍ଷକ ଓ କର୍ମଚାରୀ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ ।
ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ଆଶ୍ୱାସନକୁ ସ୍ୱାଗତ କରିଥିବା ସତ୍ତ୍ୱେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଯଦି ୨୦୨୬ ଫେବୃଆରୀ ମାସର ଶେଷ ସପ୍ତାହ ମଧ୍ୟରେ ଖାଲି ଥିବା କୁଳପତି ପଦବୀଗୁଡ଼ିକୁ ପୂରଣ କରାଯାଇନଥାଏ, ତେବେ ଛାତ୍ରଛାତ୍ରୀଙ୍କ ହିତ ସୁରକ୍ଷା ଓ ଓଡ଼ିଶାର ଉଚ୍ଚଶିକ୍ଷାର ଭବିଷ୍ୟତ ରକ୍ଷା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଗଣତାନ୍ତ୍ରିକ ଆନେ୍ଦାଳନ ଆରମ୍ଭ କରିବାକୁ ବାଧ୍ୟ ହେବ ।