ନୂଆଦିଲ୍ଲୀ:ଚଳିତ ଟି୨୦ ବିଶ୍ୱକପରେ ଜିମ୍ବାୱେର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହା ପଛରେ ଓପନର ବ୍ରେୟନ ବେନେଟ୍ଟଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ବେନେଟ ଏ ପର୍ଯ୍ୟନ୍ତ ଚଳିତ ବିଶ୍ୱକପରେ ଆଉଟ ହୋଇ ନାହାନ୍ତି । ଗ୍ରୁପ ପର୍ଯ୍ୟାୟରେ ଜିମ୍ବାୱେ ୩ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଏବେ ସୁପର ଏଇଟରେ ଭାରତ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସହ ଜିମ୍ବାୱେ ପ୍ରତିଦ୍ୱନ୍ଦ୍ୱିତା କରିବ । ବେନେଟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୮ ବଲରେ ୬୩ ରନ କରି ଅପରାଜିତ ରହିଥିଲେ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଓମାନ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ଓ ଓମାନ ବିପକ୍ଷରେ ସେ ୬୪ ଓ ୪୮ ରନ କରିଥିଲେ ।
୨୦୨୨ରେ ୧୯ ବର୍ଷରୁ କମ ବିଶ୍ୱକପରେ ସେ ପ୍ରଭାବିତ କରିଥିଲେ । ସେ ସମୟରେ ବେନେଟ ୬ ମ୍ୟାଚରେ ୨୭୩ ରନ କରିଥିଲେ । ଏହା ପରେ ଜିମ୍ବାୱେ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଜାତୀୟ ଦଳରେ ସ୍ଥାନ ପାଇବା ପରେ ୨୨ ବର୍ଷୀୟ ବେନେଟ ୧୧ ଟେଷ୍ଟ, ୧୧ ଦିନିକିଆ ଓ ୫୫ ଟି୨୦ ମ୍ୟାଚ ଖେଳି ସାରିଛନ୍ତି । ଟେଷ୍ଟରେ ୨ଟି ଶତକ ସହ ୫୦୯ ରନ, ଦିନିକିଆରେ ୩୪୮ ଓ ଟି୨୦ରେ ୧୭୭୧ ରନ କରିଛନ୍ତି ।