ନୂଆଦିଲ୍ଲୀ: ଟାରିଫକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ନୂଆ ନିଷ୍ପତ୍ତି ମଧ୍ୟରେ ମୋଦିଙ୍କୁ ସ୍ମାର୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ପୂର୍ବ ଶୁଳ୍କକୁ ୧୮%ରୁ ହ୍ରାସ କରି ୧୦% କରାଯାଇଛି। ଏହି ନୂତନ ଅସ୍ଥାୟୀ ଶୁଳ୍କ ଫେବୃଆରୀ ୨୪ ତାରିଖରୁ କାର୍ଯ୍ୟକାରୀ ହେବ ଏବଂ ୧୫୦ ଦିନ ପାଇଁ କାର୍ଯ୍ୟକାରୀ ହେବ।ଅପରପକ୍ଷରେ ଟ୍ରମ୍ପ ଏହାକୁ ଆମେରିକାର ଅନ୍ତର୍ଜାତୀୟ ଦେୟ ସନ୍ତୁଳନ ସହିତ ଜଡିତ ସମସ୍ୟାର ସମାଧାନ ପାଇଁ ଏକ “ଅସ୍ଥାୟୀ ଆମଦାନୀ ଶୁଳ୍କ” ଭାବରେ ବର୍ଣ୍ଣନା କରିଛନ୍ତି।
ଶୁଳ୍କକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ “ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମାକୁ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଆମର ଫାଇଦା ନେଉଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଶୁଳ୍କ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ୱେ ଭାରତ ସହିତ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଟ୍ରମ୍ପଙ୍କ ଅନୁସାରେ ଭାରତ ଆମକୁ ଶୁଳ୍କ ପ୍ରଦାନ କରିବ, ଯେତେବେଳେ କି ଆମେରିକା ଭାରତକୁ କୌଣସି ଶୁଳ୍କ ପ୍ରଦାନ କରିବ ନାହିଁ।”
ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ ପୂର୍ବ ବ୍ୟବସ୍ଥା ବିପରୀତ ଥିଲା ଏବଂ ଭାରତ, ଆମେରିକାଠୁ ଅଧିକ ଲାଭ ପାଉଥିଲା କିନ୍ତୁ ତାଙ୍କ ସରକାର ଚୁକ୍ତିନାମାକୁ ବଦଳାଇ ଏହାକୁ “ନିଷ୍ପକ୍ଷ ଚୁକ୍ତି” କରିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ “ମହାନ ବ୍ୟକ୍ତି” ବୋଲି ପ୍ରଶଂସା କରିଥିଲେ। ଏଥିସହିତ ଉଲ୍ଲେଖ କରିଥିଲେ ଯେ ବାଣିଜ୍ୟ କ୍ଷେତ୍ରରେ ଭାରତ ପୂର୍ବରୁ ଆମେରିକା ଅପେକ୍ଷା ବୁଦ୍ଧିମାନ ବୋଲି ପ୍ରମାଣିତ ହୋଇଥିଲା।
ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ହୋଇଥିଲା ଯାହା ଅଧୀନରେ ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ୨୫% ଶୁଳ୍କକୁ ହଟାଇ ୧୮% ହ୍ରାସ କରିଥିଲା। ଭାରତ ଋଷରୁ ତେଲ କ୍ରୟ କରିବା ଯୋଗୁଁ ଏହି ଶୁଳ୍କ ଲାଗୁ କରାଯାଇଥିଲା। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ଅନୁରୋଧରେ ଭାରତ ଋଷରୁ ଶକ୍ତି ଆମଦାନୀକୁ ଯଥେଷ୍ଟ ହ୍ରାସ କରିଛି ଏବଂ ଆମେରିକୀୟ ଶକ୍ତି କ୍ରୟ କରିବାକୁ ପ୍ରତିବଦ୍ଧ।
ତେବେ ନୂଆ ନିଷ୍ପତ୍ତି ଅନୁଯାୟୀ, ବିଶ୍ୱବ୍ୟାପୀ ଦେଶଗୁଡ଼ିକ ଉପରେ ସମାନ ଭାବରେ ଏକ ଅସ୍ଥାୟୀ ୧୦% ଆମଦାନୀ ଶୁଳ୍କ ଲାଗୁ କରାଯାଉଛି ତେଣୁ ଭାରତ ଉପରେ ଆଉ ପୃଥକ ୧୮% ଶୁଳ୍କ ଲାଗୁ ହେବ ନାହିଁ। ତଥାପି ଆମେରିକାର ଅର୍ଥନୀତିକୁ ଯେଭଳି କ୍ଷତି ନହୁଏ ସେଥିପାଇଁ ଔଷଧ, କିଛି ଇଲେକ୍ଟ୍ରୋନିକ୍ସ, ଶକ୍ତି ଉତ୍ପାଦ, କୃଷି ସାମଗ୍ରୀ, ଯାନବାହାନ ଏବଂ କିଛି ଖଣିଜ ପଦାର୍ଥ ଭଳି କିଛି ଅତ୍ୟାବଶ୍ୟକ ସାମଗ୍ରୀକୁ ଏହି ନୂଆ ଶୁଳ୍କରୁ ବାଦ ଦିଆଯାଇଛି।