Latest Odisha News

BREAKING NEWS

AI ସମ୍ମିଳନୀରେ ସାର୍ଟ ଖୋଲି ହଙ୍ଗାମା; ଜେଲ୍ ଗଲେ ୪ ଅଭିଯୁକ୍ତ

ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ପ୍ରତିବାଦ କରିବାରୁ ଚାରି ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ପାଞ୍ଚ ଦିନ ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୋଲିସ ହେପାଜତକୁ ପଠାଇଥିଲା।

ତେବେ ଦିଲ୍ଲୀର ଭାରତ ମଣ୍ଡପମରେ ଏହି ପ୍ରତିବାଦ କରାଯାଉଥିଲା। ବର୍ତ୍ତମାନ ଏହାର ଗୋଟିଏ ଦିନ ପରେ ଶନିବାର ଦିଲ୍ଲୀ ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରିଛି। ଗିରଫ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ କୃଷ୍ଣ ହରି, କୁନ୍ଦନ ଯାଦବ, ଅଜୟ କୁମାର ଏବଂ ନରସିଂହ ଯାଦବ ଥିବା ନେଇ ଜଣାପଡ଼ିଛି।

ପଟିଆଲା ହାଉସ କୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଓକିଲ କହିଥିଲେ ଯେ ନେପାଳର ଜେନ୍-ଜିରେ ଉଠିଥିବା ପ୍ରତିବାଦ ଭଳି ଦେଶ ବିରୋଧୀ ସ୍ଲୋଗାନ ଏଥିରେ ଦିଆଯାଇଥିଲା। ସେହି ସ୍ଥାନରେ ଅନ୍ୟ ଦେଶର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ପ୍ରତିବାଦକାରୀମାନେ ଧସ୍ତାଧସ୍ତି କରିବା ସହ କିଛି ପୋଲିସ ଅଧିକାରୀଙ୍କୁ ମଧ୍ୟ ଆହତ କରିଥିଲେ। ପୋଲିସ ସେମାନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଚାହିଁଥିଲେ। ଯାହାର କାରଣ କୋର୍ଟ ପୋଲିସକୁ ପଚାରିଥିଲା। ଯାହାର ଉତ୍ତରରେ ପୋଲିସ କହିଥିଲା ଯେ ସେମାନଙ୍କୁ  ତଦନ୍ତ କରିବାକୁ ପଡିବ ଯେ ଷଡ଼ଯନ୍ତ୍ର କିଏ ରଚିଥିଲା ଏବଂ କିଏ କିଏ ଏଥିରେ ସାମିଲ ଅଛନ୍ତି ଓ ସେମାନେ ପିନ୍ଧିଥିବା ଟି-ସାର୍ଟଗୁଡ଼ିକ କେଉଁଠାରେ ଛପା ଯାଇଥିଲା?”

ତେବେ ଅଭିଯୁକ୍ତଙ୍କ ଓକିଲ ପୋଲିସର ଏହି ରିମାଣ୍ଡ ଦାବିକୁ ବିରୋଧ କରିବା ସହ କହିଥିଲେ ଯେ ଯଦି ପ୍ରତିବାଦ ଯୋଗୁଁ ଗିରଫଦାରୀ ଆରମ୍ଭ ହୁଏ ତେବେ ସଂସଦରେ ପ୍ରତିବାଦ କରୁଥିବା ସାଂସଦମାନଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ୍।ପ୍ରତିବାଦ କରିବା ଏକ ସାମ୍ବିଧାନିକ ଅଧିକାର। ତେଣୁ ପୋଲିସ ରିମାଣ୍ଡର ଆବଶ୍ୟକତା ନାହିଁ।”

 

Leave A Reply

Your email address will not be published.