ଭୁବନେଶ୍ୱର: ଥାଇଲ୍ୟାଣ୍ଡରେ ଫସି ରହିଥିବା ଛଅ ଯୁବକଙ୍କ ମଧ୍ୟରୁ ଚାରି ଜଣଙ୍କୁ ସରକାର ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିଛନ୍ତି। ଯାହାପରେ ସେମାନଙ୍କ ପରିବାର ସଦସ୍ୟ ମାନେ ଖୁସି ଥିବା ସହ ସେମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ବୋଲି କହିଛନ୍ତି।
ଓଡ଼ିଶା ଫେରିଥିବା ଯୁବକ ମାନେ ଜୟନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ବେହେରା, ମନରଞ୍ଜନ ସାହୁ ଏବଂ ବିଜୟ କୁମାର ସ୍ୱାଇଁ ବୋଲି ଜଣାପଡିଛି। ସେମାନେ ଶନିବାର ରାଜ୍ୟରେ ପହଞ୍ଚିଥିବା ଜଣାପଡିଛି।
ତେବେ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାର ଏହି ଯୁବକମାନେ ଅଗଷ୍ଟ ୨୦୨୫ରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମ କରିବା ପାଇଁ ଥାଇଲ୍ୟାଣ୍ଡ ଯାତ୍ରା କରିଥିଲେ। କିନ୍ତୁ ପରେ କମ୍ପାନୀ ସେମାନଙ୍କର ଦରମା ଦେଇନଥିଲା ଓ ସେଠାରେ ଫସି ରହିଥିବା ସମୟରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ସେମାନେ ସହାୟତା ଲୋଡ଼ି ସୋସିଆଲ ମିଡିଆ ମାଧ୍ୟମରେ ଓଡ଼ିଶା ସରକାରଙ୍କ ନିକଟରେ ପହଞ୍ଚିଥିଲେ। ଯାହାପରେ ତୁରନ୍ତ ସରକାର ବୈଦେଶିକ ମନ୍ତ୍ରଣାଳୟ, ନୂଆଦିଲ୍ଲୀର ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ସ୍ଥାପନ କରି ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା କରାଯାଇଥିଲା।
ଯୁବକ ମାନେ ସରକାରଙ୍କ ଏହି ସହାୟତା ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ତେବେ ବର୍ତ୍ତମାନ ଥାଇଲ୍ୟାଣ୍ଡରେ ଫସି ରହିଥିବା ବାକି ଦୁଇ ଯୁବକଙ୍କୁ ମଧ୍ୟ ଶୀଘ୍ର ସ୍ୱଦେଶ ଫେରାଇ ଅଣାଯିବ ବୋଲି ଆଶା କରାଯାଉଛି।