ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ୮ଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ପ୍ରଦାନ କରିଛି।
ଏଥିସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ମଧ୍ୟ କୁହାଯାଇଛି। ତେବେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲା ପାଇଁ ଏହି ସତର୍କତା ଜାରି କରାଯାଇଛି। ଅପରପକ୍ଷରେ ପାଣିପାଗ ଉପରେ ନଜର ରଖିବା ସହ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ତେବେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଏକ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେଉଥିବା ନେଇ ବିଭାଗ ତରଫରୁ କୁହାଯାଇଛି। ଏହା ପୂର୍ବ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।