ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଦୀର୍ଘ ୬୭ ବର୍ଷ ପରେ ରଣଜୀ ଟ୍ରଫି ଟାଇଟଲ ହାସଲ କରିଛି । ପେସ ବୋଲର ଆକ୍ୱିବ ନବୀଙ୍କ ବୋଲିଂ ପ୍ରଦର୍ଶନ ଏହି ବିଜୟର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ସମ୍ପୂର୍ଣ୍ଣ ରଣଜୀ ଟ୍ରଫିରେ ସେ ଭଲ ପ୍ରଦର୍ଶନ କରିଥିଲେ । ଆଇପିଏଲର ଆଗାମୀ ସିଜନରେ ୨୯ ବର୍ଷୀୟ ନବୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଦିଲ୍ଲୀ ତାଙ୍କୁ ୮ କୋଟି ୪୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ଶେଷ ହୋଇଥିବା ରଣଜୀ ସିଜନରେ ସେ ୧୦ଟି ମ୍ୟାଚରେ ୬୦ ୱିକେଟ ନେଇଥିଲେ ।
ସେ ଟୁର୍ଣ୍ଣାମେଂଟ ଇତିହାସରେ ତୃତୀୟ ବୋଲର ଭାବେ ୬୦ରୁ ଅଧିକ ୱିକେଟ ନେଇଛନ୍ତି । ଗତ ସିଜନରେ ମଧ୍ୟ ସେ ୪୪ ୱିକେଟ ନେଇ ପ୍ରଭାବିତ କରିଥିଲେ । ୨ଟି ରଣଜୀ ସିଜନରେ ସେ ୧୦୦ ୱିକେଟ ନେଇଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ନବୀ ଓଭରାଲ ୪୧ ମ୍ୟାଚ ଖେଳିଛନ୍ତି । ୬୭ ଇନିଂସରେ ସେ ବୋଲିଂ କରି ୧୮.୩୭ ଆଭରେଜରେ ୧୫୬ ୱିକେଟ ନେଇଛନ୍ତି । ସେ ୧୬ ଥର ୫ ୱିକେଟ ସଫଳତା ମଧ୍ୟ ହାସଲ କରିଛନ୍ତି । ଟି୨୦ କ୍ରିକେଟରେ ସେ ୩୪ ମ୍ୟାଚ ଖେଳି ୨୧.୮୧ ଆଭରେଜରେ ୪୩ ୱିକେଟ ନେଇଛନ୍ତି ।