ଇସଲାମବାଦ: ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖମେନେଇଙ୍କ ମୃତ୍ୟୁ ହୋଇଛି । ଇରାନ ସମର୍ଥନରେ ବାହାରି ପାକିସ୍ତାନର କରାଚୀରେ ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ହିଂସାତ୍ମକ ସଂଘର୍ଷବେଳେ ୱାସିଂଟନ ସାମୁଦ୍ରିକ ସୁରକ୍ଷା କର୍ମଚାରୀଙ୍କ ଗୁଳିରେ ୧୨ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଉତ୍ତ୍ୟକ୍ତ ଜନତା କରାଚୀରେ ଥିବା ଆମେରିକୀୟ ଦୂତାବାସକୁ ଘେରି ଭଙ୍ଗାରୁଜା କରିଥିଲେ। ଆମେରିକା ବିରୋଧୀ ସ୍ଲୋଗାନ ଦେଇ, ବିକ୍ଷୋଭକାରୀ ଦୂତାବାସ ପରିସରରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ସମଗ୍ର ଅଞ୍ଚଳ କଳା ଧୂଆଁମୟ ହୋଇଯାଇଥିଲା । ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଥିଲା ଯେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ । ଏବଂ ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।
ପ୍ରତିବାଦକାରୀ ଦୂତାବାସ ନିକଟରେ ପହଞ୍ଚିବା ପରେ ହାଇ ଆଲର୍ଟରେ ଥିବା ଆମେରିକା ସାମୁଦ୍ରିକ ସୁରକ୍ଷା କର୍ମଚାରୀ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏହି ଗୁଳିମାଡ଼ ଘଟଣାରେ ୧୨ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ, ୩୦ରୁ ଅଧିକ ଆହତ ହୋଇଛନ୍ତି ।